ବ୍ରିଟିଶ ଶାସକ ଲଗାଇଲେ ବ୍ୟାନ୍, ଛୋଟ ଗ୍ୟାରେଜରୁ ୩ଲକ୍ଷ କୋଟି ଟଙ୍କାର କମ୍ପାନୀ
20/05/2023 at 2:20 PM

ନୂଆଦିଲ୍ଲୀ ୨୦।୦୫: ଘର ରଙ୍ଗ କରିବାର କଥା ଆସେ ତ ପ୍ରଥମେ ସାମ୍ନାକୁ ଆସିଯାଏ ଏସିଆନ୍ ପେଣ୍ଟସର ନାଁ । ପରାଧିନ ଭାରତରେ ବ୍ରିଟିଶ ଶାସକ ଲଗାଥିଲେ ବ୍ୟାନ୍ । କିନ୍ତୁ ଚେକରୁ ସକ୍ସେସ୍ । ପ୍ରତିବନ୍ଧକର ବାହାରିଲା ବିକଳ୍ପ ଉପାୟ । ଏକ ଛୋଟିଆ ଗ୍ୟାରେଜରେ ଏକାଠି ହୋଇ ୪ ସାଙ୍ଗ କଲେ ବଡ ଯୋଜନା । ଜିଦ୍, ଧର୍ଯ୍ୟ, ନିଷ୍ଠା ଓ ପରିଶ୍ରମରୁ ଏକ ବଡ ସଫଳତା ଏସିଆନ୍ ପେଣ୍ଟସ୍ ।

ଗ୍ୟାରେଜରୁ ଆସିଥିଲା କମ୍ପାନୀ ଆରମ୍ଭର ଚିନ୍ତା । କିନ୍ତୁ ଏହି ବ୍ୟବସାୟ ଛିଡା ହେବା ପଛରେ ଜଣେ ନୁହେଁ ୪ ଜଣଙ୍କର ରହିଥିଲା ମାଷ୍ଟରମାଇଣ୍ଡ । ଏମିତିକି ୪ ଜଣ ମିଶି ତୃଣମୂଳସ୍ତରରୁ ଆରମ୍ଭ କରିଥିଲେ କାରବାର । ପରାଧିନତାର ସମୟ ସରିଗଲା,ସ୍ବାଧୀନ ଭାରତରେ ସମ୍ଭାବନାମୟ ପରିବେଶରେ ସଫଳତାର ସଙ୍ଘର୍ସ ଏବେ ଇତିହାସ ହେଲେବି ଏକ ବଡ ଉଦାହରଣ ।

ଦେଶରେ ଅସହଯୋଗ ଆନ୍ଦୋଳନ ସମୟରେ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ବ୍ରିଟିସ୍ । ଆଉ ପ୍ରତିବନ୍ଧକ ଯୋଗୁଁ ଭାରତରେ ଦେଖିବାକୁ ମିଳିଥିଲା ପେଣ୍ଟ ସମସ୍ୟା । ସେତେବେଳେ ଏକ ଗ୍ୟାରେଜରେ ବସି ଚାରି ଜଣ ବ୍ୟକ୍ତି ଆରମ୍ଭ କରିଥିଲେ ବ୍ୟବସାୟ କରିବାର ଚିନ୍ତା । ଆଉ ଏହି ୪ଜଣ ଦେଶରେ ପେଣ୍ଟ ବ୍ୟବସାୟକୁ ଦେଇଥିଲେ ନୂଆ ଦିଗ । ଏମାନେ ହେଉଛନ୍ତି ଚମ୍ପକଲାଲ ଚୋକସି, ଚିମନଲାଲ ଚୋକସି, ସୂର୍ଯ୍ୟକାନ୍ତ ଦାନି ଏବଂ ଅରବିନ୍ଦ ବକିଲ୍ । ଆଉ ୧୯୪୨ରେ ମୁମ୍ବାଇରେ ଆରମ୍ଭ କରିଥିଲେ ଏସିଆନ୍ ପେଣ୍ଟସ୍ ଏବଂ ଅଏଲ୍ ପ୍ରାଇଭେଟ ଲିମିଟେଡ୍ ।

ଯେତେବେଳେ ଏସିଆନ୍ ପେଣ୍ଟସ୍ ଆରମ୍ଭ ହେଲା, ସେତେବେଳେ ତିଆରି ହୋଇଥିବା ପେଣ୍ଟକୁ ପ୍ଲାଷ୍ଟିକ୍ ଥଳିରେ ପ୍ୟାକ୍ କରୁଥିଲେ ଏବଂ ଘର ଘର ବୁଲି ବିକୁଥିଲେ । ତୃଣମୂଳ ସ୍ତରରେ କରାଯାଇଥିବା କଠିନ ପରିଶ୍ରମ ଧୀରେ ଧୀରେ ଫଳପ୍ରଦ ହେଲା । ଆଉ ବ୍ୟବସାୟ ବଢିବାକୁ ଲାଗିଲା । ଆରମ୍ଭ ସମୟରେ କେବଳ ଅଳ୍ପ ରଙ୍ଗର ପେଣ୍ଟ ତିଆରି କରୁଥିଲା କମ୍ପାନୀ । ଲୋକମାନେ ଦେଶୀ ରଙ୍ଗକୁ ଏତେ ପସନ୍ଦ କରିଥିଲେ ଯେ ଏହା ଆରମ୍ଭ ହେବାର କିଛି ବର୍ଷ ପରେ ହିଁ ବଜାରରେ କରିଥିଲା ରାଜ୍ । ଆରମ୍ଭର ମାତ୍ର ୩ ବର୍ଷ ମଧ୍ୟରେ ହିଁ ୩ ଲକ୍ଷ ଟଙ୍କାର କାରବାରରେ ପରିଣତ ହୋଇଥିଲା । କିନ୍ତୁ ପାଞ୍ଚ ବର୍ଷ ପରେ ଏହି ବ୍ୟବସାୟ ରକେଟ୍ ବେଗରେ ଗତି କରିଥିଲା । ଆଉ ଏହାର ଆୟ ହୋଇଥିଲା ଆକାଶଛୁଆଁ । ୧୯୫୨ ମସିହାରେ ମୋଟ କାରବାର ହୋଇଥିଲା ୨୦ କୋଟିରୁ ଅଧିକ ।

ସ୍ବାଧିନତା ପରେ ଏସିଆନ୍ ପେଣ୍ଟ କମ୍ପାନୀର ପ୍ରମୋଶନ ଏବଂ ବିଜ୍ଞାପନରେ ବେଶ୍ ଜୋର ଦେଇଥିଲେ । ପେଣ୍ଟ ପ୍ରଡକ୍ଟ ପାଇଁ ପ୍ରସିଦ୍ଧ କାର୍ଟୁନିଷ୍ଟ ଆର.କେ ଲକ୍ଷ୍ମଣଙ୍କ ଠାରୁ ଏକ କାର୍ଟୁନ୍ ତିଆରି କରିଥିଲା କମ୍ପାନୀ। ଏହାର ନାମକରଣ ପାଇଁ ପ୍ରତିଯୋଗିତାର ହୋଇଥିଲା ଆୟୋଜନ । ଆଉ ଏଥିରୁ ହିଁ ଏସୀୟାନ ପେଣ୍ଟସ୍ ର ପ୍ରଥମ କାର୍ଟୁନ୍ ପାଇଁ ମାସ୍କଟ୍ ଗାଟୁଙ୍କ ନାଁରେ ଲଗାଯାଇଥିଲା ଷ୍ଟାମ୍ପ୍ । କମ୍ପାନୀ ଏହାର ନାଁକୁ ନିଜର ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ ଟ୍ରାକ୍ଟର ଡିଷ୍ଟେମ୍ପର୍ ସହିତ ବ୍ୟବହାର କରିଥିଲା । ଯାହା ଟ୍ରାକ୍ଟର ବ୍ରାଣ୍ଡ ପହଞ୍ଚିଥିଲା ଶୀର୍ଷରେ ।

ବ୍ୟବସାୟ ବଢିବାପରେ ଏସିଆନ୍ ପେଣ୍ଟସ୍ ମହାରାଷ୍ଟ୍ରର ଭାଣ୍ଡୁପରେ ପ୍ରତିଷ୍ଠା କରିଥିଲା ପ୍ଲାଣ୍ଟ । ୬୦ ଦଶକରେ କମ୍ପାନୀ ଫିଜିରେ ଖୋଲିଥିଲା ତାର ପ୍ରଥମ ବିଦେଶୀ ପ୍ଲାଣ୍ଟ । ଆଉ ଏହା ପରଠୁ କେବେବି ପଛକୁ ଚାହିଁନି କମ୍ପାନୀ । ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିବା ଏସିଆନ୍ ପେଣ୍ଟସ୍ ବର୍ତ୍ତମାନ ଦେଶର ବୃହତ୍ତମ ଏବଂ ଏସିଆର ତୃତୀୟ ବୃହତ୍ତମ ପେଣ୍ଟ୍ କମ୍ପାନୀରେ ପରିଣତ ହୋଇଛି । କମ୍ପାନୀ ଏବେ ୩ଲକ୍ଷ କୋଟିର ସମ୍ପତ୍ତିରେ ପରିଣତ ହୋଇଛି । ଭାରତରେ ପେଣ୍ଟ ବ୍ୟବସାୟର ୫୦ ପ୍ରତିଶତରୁ ଅଧିକ ନିୟନ୍ତ୍ରଣ ରହିଛି ଏସିଆନ୍ ପେଣ୍ଟସ୍ । ଏହାର ୧୬ଟି ଦେଶରେ ରହିଛି ପ୍ଲାଣ୍ଟ । ୮୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କମ୍ପାନୀ ଏବେ ପେଣ୍ଟ ଦୁନିଆର ବାଦଶାହ ।