୪ ମାସରେ ବିଦେଶୀ ମୁଦ୍ରା ଭଣ୍ଡାରରେ ସବୁଠୁ ବଡ଼ ବୃଦ୍ଧି, ଗୋଟିଏ ସପ୍ତାହରେ ବଢିଲା ୧୨.୮ ବିଲିୟନ ଡଲାର
24/03/2023 at 9:11 PM

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ବିଦେଶୀ ମୁଦ୍ରା ଭଣ୍ଡାରକୁ ନେଇ ତଥ୍ୟ ପ୍ରକାଶ କରିଛି । ଏହା ଅନୁସାରେ ମାର୍ଚ୍ଚ ୧୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ର ଭଣ୍ଡାରରେ ୧୨.୮ ବିଲିୟନ ଡଲାର ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୨ ନଭେମ୍ୱର ୧୧ ପରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଏହା ସବୁଠୁ ବଡ଼ ବୃଦ୍ଧି । ୨୦୨୩ ଫେବ୍ରୁଆରୀ ୧୧ ପରେ ବିଦେଶୀ ମୁଦ୍ର ଭଣ୍ଡାର ନିଜର ସର୍ବୋଚ୍ଚସ୍ତରରେ ପହଞ୍ଚିଛି ।
ଦେଶର ବିଦେଶୀ ମୁଦ୍ରା ଭଣ୍ଡାରେ ଏହି ବୃଦ୍ଧି ଆରବିଆଇର ବିଦେଶୀ କରେନ୍ସି ସମ୍ପତ୍ତିରେ ବୃଦ୍ଧି ଯୋଗୁଁ ହୋଇଛି । ଆରବିଆଇ ତଥ୍ୟ ଅନୁସାରେ ବିଦେଶୀ କରେନ୍ସି ଆସେଟ୍ସରେ ୧୦.୪୯ ବିଲିୟନ ଡଲାରର ବୃଦ୍ଧି ଘଟିଛି ଏବଂ ଏହା ବଢି ୫୦୫.୩୫ ବିଲିୟନ ଡଲାରରେ ପହଞ୍ଚିଛି ।
ବର୍ତ୍ତମାନ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ମାର୍ଚ୍ଚ ୧୭ରେ ଶେଷ ହୋଇଥିବା ସପ୍ତାହରେ ୧୨.୭୯୮ ବିଲିୟନ ଡଲାର ବଢି ୫୭୨.୮୦୧ ବିଲିୟନ ଡଲାରରେ ପହଞ୍ଚିଛି । ଗତ ସପ୍ତାହରେ ବିଦେଶୀ ମୁଦ୍ର ଭଣ୍ଡାର ୨.୩୯ ବିଲିୟନ ଡଲାର କମି ତିନି ମାସର ସର୍ବନିମ୍ନସ୍ତର ୫୬୦.୦୦୩ ବିଲିୟନ ଡଲାରରେ ପହଞ୍ଚିଥିଲା । ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ମୁଦ୍ର ଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଥିଲା ।