ଅଧିକ କ୍ରୋଧୀ ଭାରତୀୟ ମହିଳା, ମାନସିକ ଚାପ ଏହାର ବଡ କାରଣ

Published By : Prameya-News7 Bureau | December 09, 2022 IST

ମୁମ୍ଵାଇ ୦୯।୧୨: ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଆସିଛି । ଲୋକଙ୍କ ଚାପ, କ୍ରୋଧ ଓ ଚିନ୍ତାର ସ୍ତର ବଢ଼ିଛି । ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଉଦାସ ଓ ଦୁଃଖୀ ରହୁଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳା ବେଶି ଏହାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ପରିବର୍ତ୍ତିତ ମାନସିକ ସ୍ଥିତି ଜାଣିବା ଓ ସେମାନଙ୍କ ଭାବନାକୁ ବୁଝିବା ପାଇଁ ଗ୍ୟାଲପ୍‌ ୱର୍ଲଡ ପୋଲ୍‌ ୨୦୧୨ରୁ ୨୦୨୧ ମସିହା ପର୍ଯ୍ୟନ୍ତ ୧୫୦ ଦେଶର ୧୨ ଲକ୍ଷ ଲୋକଙ୍କ ଉପରେ ସର୍ଭେ କରିଥିଲା । ଏଥିରୁ ଜଣାପଡ଼ିଲା, ୧୦ ବର୍ଷ ତଳେ ମହିଳା-ପୁରୁଷଙ୍କ କ୍ରୋଧ ଓ ଚାପ ସ୍ତର ସମାନ ଥିଲା । କିନ୍ତୁ ଗତ ୧୦ ବର୍ଷରୁ ମହିଳାଙ୍କ ଚାପ ଅଧିକ ବଢ଼ିଛି । ସେମାନେ ଏବେ ଅଧିକ କ୍ରୋଧାନ୍ୱିତ ହେଉଛନ୍ତି ।

ତଥ୍ୟ ଅନୁସାରେ, ବିଶ୍ୱରେ ମହିଳାଙ୍କ କ୍ରୋଧ ସ୍ତର ପୁରୁଷଙ୍କଠାରୁ ୬ ପ୍ରତିଶତ ଅଧିକ । ଭାରତ ଓ ପାକିସ୍ତାନର ମହିଳାଙ୍କ ଚାପ ଓ କ୍ରୋଧର ସ୍ତର ବିଶ୍ୱଠାରୁ ଦୁଇଗୁଣ । ଅର୍ଥାତ ୧୨ ପ୍ରତିଶତ । ଭାରତରେ ପୁରୁଷଙ୍କ କ୍ରୋଧ ସ୍ତର ୨୭.୮ ପ୍ରତିଶତ। ମହିଳାଙ୍କଠାରେ ଏହି ସ୍ତର ୪୦.୬ ପ୍ରତିଶତ। କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ଏହି ସ୍ତର ଅଧିକ ବଢ଼ିଛି । ମନୋବୈଜ୍ଞାନିକ ଡା. ଲକ୍ଷ୍ମୀ ବିଜୟ କୁମାର ବିଶ୍ୱରେ ମହିଳାଙ୍କର ବଢୁଥିବା ଚାପ ଓ କ୍ରୋଧର କାରଣ ବିଷୟରେ କହିଛନ୍ତି, ବିଶ୍ୱର ତମାମ ଦେଶରେ ମହିଳା ପୂର୍ବାପେକ୍ଷା ଅଧିକ ଶିକ୍ଷିତ ହୋଇଛନ୍ତି ।

ଚାକିରି କରିବା ସହ ଆତ୍ମନିର୍ଭରତାକୁ ନେଇ ଆତ୍ମବିଶ୍ୱାସ ଆସିଛି। ବାହାରେ ସମାନତା ବିଷୟରେ ଚର୍ଚ୍ଚା ହେଉଥିବାବେଳେ ଘରେ କିନ୍ତୁ ପୁରୁଷକୈନ୍ଦ୍ରିକ ବ୍ୟବସ୍ଥା ଏବେ ବି ରହିଛି । ଏହି ଅସନ୍ତୁଳନ ମଧ୍ୟରେ ଘାଣ୍ଟି ହେଉଥିବା ମହିଳା ଏବେ ସ୍ୱର ଉଠାଇ ନିଜ କ୍ରୋଧ ଜାହିର କରୁଛନ୍ତି । ଗତ ଦଶନ୍ଧି ଭିତରେ ମହିଳା ନିଜର ଭାବନା ବ୍ୟକ୍ତ ପାଇଁ ଆଗକୁ ଆସୁଛନ୍ତି । କିନ୍ତୁ କାମ ଅପେକ୍ଷା ବେତନ କମ୍‌ ମିଳୁଛି ଓ ସେମାନଙ୍କଠାରୁ ଅଧିକ ଆଶା କରାଯାଉଛି । ଏଥିପାଇଁ ସେମାନଙ୍କର କ୍ରୋଧ ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.