ନୂଆଦିଲ୍ଲୀ ୧୯।୧୦: ନୂଆ ଅଧ୍ୟାୟ ଲେଖିବ ଭାରତୀୟ ରେଳବାଇ । ଦିନକୁ ଦିନ ବିକାଶ ଆଡକୁ ବଢାଉଛି ପାଦ । ଦେଶରେ ଗଡିବ ହାଇଡ୍ରୋଜେନ ଟ୍ରେନ୍ । ଭୁଲିଯିବେ ବନ୍ଦେ ଭାରତର ସୁବିଧା । ଦେଶରେ ଏହା ଖୁବଶୀଘ୍ର ହେବ କାର୍ଯ୍ୟକାରୀ । ଡିସେମ୍ବର ୨୦୨୪ ସୁଦ୍ଦା ଟ୍ରାକ୍ରେ ଗଡିପାରେ ଏହି ଟ୍ରେନ୍ । ଏଥିପାଇଁ ଥାର୍ଡ ପାର୍ଟି ସୁରକ୍ଷା ଅଡିଟ୍ ପାଇଁ ଭାରତୀୟ ରେଳ ଜର୍ମାନୀର TUV-SUDକୁ ନିଯୁକ୍ତି ଦେଇଛି ।
ଯଦି ଟ୍ରାଏଲ୍ରନ୍ ଠିକ୍ ହୁଏ ତେବେ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନ୍ ପରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବାରେ ଭାରତ ହେବ ବିଶ୍ୱର ପଞ୍ଚମ ଦେଶ । ଏହାବ୍ୟତୀତ ସରକାର ୫ଟି ହାଇଡ୍ରୋଜେନ ଇନ୍ଧନ ସେଲ ଆଧାରିତ ଟାୱାର କାର ବିକାଶ କରୁଛନ୍ତି । ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୪୦ କିଲୋମିଟର ସ୍ପିଡରେ ଟ୍ରାକରେ ଗଡିବ ।
ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଟାୱାର କାରର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏପରି ହେଲେ ଦେଶର ଗମନାଗମନ କ୍ଷେତ୍ରରେ ଆସିବ ବୈପ୍ଲବିକ୍ ପରିବର୍ତନ । ପରୀକ୍ଷଣ ପରେ ରେଳବାଇ ହାଇଡ୍ରୋଜେନ୍ ଫର୍ ହେରିଟେଜ୍ ପଦକ୍ଷେପ ଅଧୀନରେ ୩୫ଟି ହାଇଡ୍ରୋଜେନ୍ ଟ୍ରେନ୍ ଲଞ୍ଚ କରିବ । ଆଉ ପ୍ରତ୍ୟେକ ଟ୍ରେନ୍ ପାଇଁ ୮୦ କୋଟିରୁ ଅଧିକ ଏବଂ ବିଭିନ୍ନ ଐତିହ୍ୟ ଓ ପାହାଡ ମାର୍ଗର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୭୦ କୋଟି ।
ତେବେ କଣ ଏହି ହାଇଡ୍ରୋଜେନ୍ ଟ୍ରେନ୍ ? ଏହା ହେଉଛି ହାଇଡ୍ରୋଜେନ୍ ଫୁଏଲରେ ଚାଲୁଥିବା ଟ୍ରେନ୍ । ଏହି ରେଳ ଗାଡିରେ ଡିଜେଲ୍ ଇଞ୍ଜିନ୍ ବଦଳରେ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ସ ଲଗାଯିବ । ହାଇଡ୍ରୋଜେନ୍ ଟ୍ରେନର ଖାସ୍ କଥା ହେଉଛି ଏହି ଟ୍ରେନ୍ ବିନା ଧୂଆ ନିର୍ଗତ କରି ଚାଲିଥାଏ । ଯେଉଁ କାରଣରୁ ପରିବେଶ ପ୍ରଦୂଷଣର ଭୟ ମଧ୍ୟ ନଥାଏ ।
ତେବେ ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମେ ଐତିହ୍ୟ ମାର୍ଗରେ ମାଥେରାନ୍-ହିଲ୍ ରେଲୱେ, ଦାର୍ଜିଲିଂ ହିମାଳୟ ରେଲଓ୍ବେ, କାଲକା-ଶିମଲା ରେଲଓ୍ବେ, କାଙ୍ଗଡା ଉପତ୍ୟକା ଏବଂ ନୀଳଗିରି ମାଉଣ୍ଟେନ୍ ରେଲଓ୍ବେରେ ଦୌଡିବ । କପୁରଥାଲାରେ ପ୍ରସ୍ତୁତ କରାଯାଉଥିବା ଏହି ଟ୍ରେନ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ଦୌଡିବ ।
ତେବେ ଡିଜେଲରେ ଚାଲୁଥିବା ଟ୍ରେନ୍ ତୁଳନାରେ ହାଇଡ୍ରୋଜେନ୍ ଟ୍ରେନ୍ ହେଉଛି ମହଙ୍ଗା । ହାଇଡ୍ରୋଜେନ୍ ଫୁଏଲର କିଲୋପ୍ରତି ଦାମ ହେଉଛି ୪୯୨ ଟଙ୍କା । ତେବେ ଡିଜେଲ ତୁଳନାରେ ହାଇଡ୍ରୋଜେନରେ ଟ୍ରେନ୍ ସଞ୍ଚାଳନ କ୍ଷମତା ୨୭ ପ୍ରତିଶତ ଅଧିକ । ୟୁରୋପୀୟ ଦେଶ ଜର୍ମାନୀରେ ପ୍ରଥମେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଗଡିଥିଲା ।