ମୁମ୍ଵାଇ ୧୩।୦୭; ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ତିନି ସାଥୀଙ୍କ ପୃଥିବୀକୁ ଫେରିବା ସମୟ ଏବେ ନିକଟତର ହୋଇଛି। ଏହି ସମସ୍ତ ମହାକାଶଚାରୀ ଜୁନ୍ ୨୬ ତାରିଖରେ ମିଶନ୍ ଆକ୍ସିଅମ୍-୪ ଅଧୀନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS)ରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ, ଶୁଭାଂଶୁ ଜୁଲାଇ ୧୪ ତାରିଖରେ ISS ରୁ ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ। ନାସା ଅନୁଯାୟୀ, ତାଙ୍କ ମହାକାଶଯାନ ଧୀରେ ଧୀରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଏବଂ ତା’ପରେ ଜୁଲାଇ ୧୫ ତାରିଖରେ ଆମେରିକାର କାଲିଫର୍ନିଆ ଉପକୂଳ ନିକଟ ସମୁଦ୍ରରେ ଓହ୍ଲାଇବ। ଶୁଭାଂଶୁ ଶୁକ୍ଲାଙ୍କ ଫେରିବା ନେଇ ତାଙ୍କ ବାପା କହିଛନ୍ତି ଯେ ସେ ଜୁଲାଇ ୧୫ ତାରିଖରେ ପୃଥିବୀକୁ ଫେରିବେ। ଆସନ୍ତାକାଲି, ଜୁଲାଇ ୧୪, ପ୍ରାୟ ୪.୩୦ ସମୟରେ ଅନଡକିଂ ହେବ।
ଶୁଭାଂଶୁଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ରୁ ଫେରିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଶୁଭାଂଶୁଙ୍କ ବାପା କହିଛନ୍ତି, "ସେ ଯଥାଶୀଘ୍ର ଫେରି ଆସିବାରୁ ଆମେ ବହୁତ ଖୁସି। ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ସୁରକ୍ଷିତ ଭାବରେ ଫେରି ଆସନ୍ତୁ। ଆମର ପ୍ରାର୍ଥନା ତାଙ୍କ ସହିତ ଅଛି। ଯେତେବେଳେ ମୁଁ ତାଙ୍କ ସହିତ କଥା ହେଲି, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେ ମୋତେ କହିଲେ ଯେ ଆମର ସମସ୍ତ କାମ ସମୟ ମଧ୍ୟରେ ହୋଇଛି। କୌଣସି ଅସୁବିଧା ହେବ ନାହିଁ। ସେଠାରେ ତାଙ୍କୁ ଖୁସି ଦେଖି ବହୁତ ଭଲ ଲାଗିଲା। ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ। ଆମେ ତାଙ୍କୁ ଭଲ ଭାବରେ ସ୍ୱାଗତ କରିବୁ। ଆମେ ତାଙ୍କୁ ସମ୍ମାନ କରିବୁ।
ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମାଆ ଆଶା ଶୁକ୍ଲା କହିଛନ୍ତି, “ଆମର ପୁଅ ମିଶନରୁ ଫେରିବା ଠାରୁ ଅଧିକ ଆନନ୍ଦଦାୟକ ଆଉ କ’ଣ ହୋଇପାରେ। ତୁମର ମିଶନକୁ ସଫଳତାର ସହ ସମାପ୍ତ କର, ଶୀଘ୍ର ପୃଥିବୀକୁ ଫେରି ଆସ । ଆମେ ଆମ ପୁଅ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରି ଚାଲିଛୁ। ଆମର କୌଣସି ଭୟ ନାହିଁ। ଆମେ ତାକୁ ସ୍ୱାଗତ କରିବାକୁ ଖୁବ୍ ଊତ୍ସାହିତ ଅଛୁ। ଏହି ମିଶନ ଜୁନ୍ ୨୫ ରେ ଆରମ୍ଭ ହୋଇଥିଲା ଯେତେବେଳେ ସ୍ପେସଏକ୍ସର ଫାଲକନ୍ ୯ ରକେଟ୍ ଚାରି ଜଣ ମହାକାଶଚାରୀଙ୍କୁ ନେଇ ଡ୍ରାଗନ୍ ସ୍ପେସକ୍ରାଫ୍ଟ 'ଗ୍ରେସ୍'କୁ ସଫଳତାର ସହିତ ଉନ୍ମୋଚନ କରିଥିଲା।