ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲିଡ୍ସରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଶେଷ ହୋଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ତିନି ୱିକେଟ୍ ହରାଇ ୩୫୯ ରନ୍ କରିଛି । ଅଧିନାୟକ ଶୁଭମନ ଗିଲ୍ ୧୨୭ ରନ୍ ଏବଂ ଉପ-ଅଧିନାୟକ ରିଷଭ ପନ୍ତ ୬୫ ରନ୍ କରି ଅପରାଜିତ ଅଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟର ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ବୋଲରଙ୍କୁ ମ୍ୟାଚରେ କମ୍ବ୍ୟାକ୍ କରିବାର ସୁଯୋଗ ଦେଇନଥିଲେ । ତିନୋଟି ଯାକ ସେସନରେ ଭାରତର ଦବଦବା ରହିଥିଲା । ଭାରତ ପାଇଁ ଓପନର ଯଶସ୍ୱୀ ଜୟସ୍ୱାଲ ଓ ଅଧିନାୟକ ଗିଲ୍ ଶତକ ହାସଲ କରିଥିଲେ । ପନ୍ତ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ ।
ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଯଶସ୍ୱୀ ଏବଂ କେଏଲ ରାହୁଲ ଭାରତ ପାଇଁ ଇନିଂସ ଓପନ କରିଥିଲେ ଏବଂ ଦଳକୁ ଏକ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ପାର୍ଟନରଶିପ୍ କରିଥିଲେ । ବ୍ରାଇଡନ୍ କାର୍ସେ ରାହୁଲଙ୍କୁ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ମିଳିଥିଲା । ରାହୁଲ ୪୨ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଏହା ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ସାଇ ସୁଦର୍ଶନ ଖାତା ନଖୋଲି ଆଉଟ୍ ହୋଇଥିଲେ । ଲଞ୍ଚ୍ ବିରତି ପରେ ଶୁଭମନ୍ ବ୍ୟାଟିଂ କରିବାକୁ ଆସିଥିଲେ । ଦ୍ୱିତୀୟ ସେସନ୍ରେ ଗିଲ୍ ଏବଂ ଯଶସ୍ୱୀ ଇଂଲଣ୍ଡକୁ କୌଣସି ସଫଳତା ଦେଇ ନଥିଲେ ।
ଇଂଲଣ୍ଡରେ ଯଶସ୍ୱୀ ତାଙ୍କର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଥିଲେ । ବେନ୍ ଷ୍ଟୋକ୍ସ ଯଶସ୍ୱୀଙ୍କୁ ଆଉଟ୍ କରି ଗିଲ୍ ଏବଂ ଯଶସ୍ୱୀଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀକୁ ଭାଙ୍ଗିଥିଲେ । ଯଶସ୍ୱୀ ୧୦୧ ରନ୍ କରିବା ପରେ ଆଉଟ୍ ହୋଇ ଫେରିଥିଲେ । ଏହା ପରେ ପନ୍ତ ଓ ଗିଲ୍ ରନ ବଢାଇବା ଦାୟିତ୍ୱ ନେଇଥିଲେ । ଉଭୟ ବ୍ୟାଟର ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡକୁ କୌଣସି ସଫଳତା ଦେଇନଥିଲେ । ଗିଲ୍ ଏବଂ ପନ୍ତ ଏପର୍ଯ୍ୟନ୍ତ ଚତୁର୍ଥ ୱିକେଟ୍ ପାଇଁ ୧୩୮ ରନ୍ ଯୋଡ଼ିଛନ୍ତି । ଦ୍ୱିତୀୟ ଦିନରେ ଉଭୟ ଭାରତକୁ ଏକ ମଜବୁତ ସ୍ଥିତିକୁ ନେଇଯିବାକୁ ଚେଷ୍ଟା କରିବେ । ଇଂଲଣ୍ଡ ପାଇଁ ଷ୍ଟୋକ୍ସ ଦୁଇଟି ୱିକେଟ୍ ଏବଂ କାର୍ସେ ଗୋଟିଏ ୱିକେଟ୍ ନେଇଛନ୍ତି ।