ନୂଆଦିଲ୍ଲୀ: ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ବଢିଥିବା ବେଳେ ଆମେରିକା ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆଣିଛି। ବିଷ୍ଣୋଇ ଗ୍ୟାଙ୍ଗ ନେଇ ଭାରତ ଓ କାନାଡ଼ା ମଧ୍ୟରେ ଗୁପ୍ତରେ ଆଲୋଚନା ହୋଇଥିଲା ବୋଲି ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ କରିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ, ସପ୍ତାହ ତଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କାନାଡ଼ା ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କାନାଡ଼ା ଅଧିକାରୀ ଅଭିଯୋଗ କରିଥିଲେ ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂହ ନିଜ୍ଜରର ହତ୍ୟା ଓ ଶିଖ୍ ବିଛିନ୍ନତବାଦୀଙ୍କୁ ହତ୍ୟା କରିବାକୁ ଭାରତ ବିଷ୍ଣୋଇ ଗ୍ୟାଙ୍ଗର ନେଟୱର୍କ ବିଛାଇଛି। କାନାଡ଼ା ଭାରତକୁ ଏହାର ପ୍ରମାଣ ଦେଇଛି ବୋଲି ୱାଶିଂଟନ ପୋଷ୍ଟ ଖବର ପ୍ରକାଶ କରିଛି।
କାନାଡ଼ର ଜଣେ ଅଜ୍ଞାତ ଅଧିକାରୀଙ୍କ ବୟାନକୁ ଭିତ୍ତି କରି ୱାଶିଂଟନ ଏହି ଖବର ପ୍ରକାଶ କରିଛି। ତେବେ ଆମେରିକା ମିଡିଆର ଏଭଳି ରିପୋର୍ଟକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ୱାଶିଂଟନ ପୋଷ୍ଟ ଲେଖିଛି ଯେ ପ୍ରଥମେ ପ୍ରଥମେ ଡୋଭାଲ ବିଷ୍ଣୋଇ ଗ୍ୟାଙ୍ଗ ବିଷୟରେ କିଛି ଜାଣି ନଥିବାର ଅଭିନୟ କରିଥିଲେ। ହେଲେ ପରେ ସ୍ୱୀକାର କରିଥିଲେ ଯେ ବିଷ୍ଣୋଇ ଯେଉଁଠି ବି ବନ୍ଦୀ ଥାଉ ନା କାହିଁକି ହିଂସା ଘଟାଇବାରେ ସକ୍ଷମ। ବିଷ୍ଣୋଇ ଜେଲ୍ ଭିତରେ ଥାଇ କିଛି ବି ଭୁଲ୍ କାମ କରିବା ନେଇ ସେ ବେଶ୍ ଜଣାଶୁଣା ବୋଲି ଡୋଭାଲ ସ୍ୱାକାର କରିଥିବା ୱାଶିଂଟନ ପୋଷ୍ଟ ଖବର ପ୍ରକାଶ କରିଛି।
ତେବେ ରୋଚକ କଥା ହେଲା ୨୦୨୨ରେ ଭାରତ କାନାଡ଼ା ଉପରେ ଏଭଳି ଅଭିଯୋଗ ଆଣିଥିଲା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଭାରତ ସରକାର ଏନେଇ କାନାଡ଼ା ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କାନାଡ଼ାରୁ ଗ୍ୟାଙ୍ଗଷ୍ଟାରମାନେ ଆସି ଭାରତରେ ହିଂସା ଘଟାଉଛନ୍ତି ବୋଲି ଭାରତୀୟ ହାଇ କମିଶନ ଜୁନ୍ ୨୦୨୨ରେ କାନାଡ଼ା ସରକାରଙ୍କୁ ଜଣାଇଥିଲେ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହିଁ ଏହି ହତ୍ୟାରେ ସମ୍ପୃକ୍ତ ଥିଲା। ଆଉ ଏହି ଗ୍ୟାଙ୍ଗ କାନାଡ଼ାରେ ଆକ୍ଟିଭ୍ ରହିଛି।
ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ, ଦୁଇ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ୫ ଘଣ୍ଟାକାଳ ବୈଠକ ହୋଇଥିଲା। ଏଥିରେ ଦେଶରେ ହେଉଥିବା ହିଂସା ରୋକିବାକୁ ଭାରତକୁ ମନାଇବାକୁ କାନାଡ଼ା ଚେଷ୍ଟା କରିଥିଲା। ବୈଠକରେ କାନାଡ଼ା ଜାତୀୟ ସୁରକ୍ଷା ପରାମର୍ଶଦାତା ନାଥାଲିଏ ଡ୍ରୋନିନ୍ଙ୍କ ବ୍ୟତୀତ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ଡେଭିଡ ମରିସନ ଏବଂ ରୟାଲ କାନାଡ଼ା ମାଉଣ୍ଟେଡ୍ ପୁଲିସର ଜଣେ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ବୋଲି ୱାଶିଂଟନ ଖବର ପ୍ରକାଶ କରିଛି।
ବୈଠକରେ କାନାଡ଼ା ଅଧିକାରୀ ଏହା ମଧ୍ୟ କହିଥିଲେ ଯେ ଶିଖ ବିଚ୍ଛିନ୍ନତବାଦୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଭାରତୀୟଙ୍କ ହାତ ଥିବା ମାମଲା ସର୍ବସାଧାରଣକୁ ଆସିପାରେ। କାରଣ ଆସନ୍ତା ମାସ ହରଦିପ ସିଂହ ନିଜ୍ଜର ହତ୍ୟାରେ ଅଭିଯୁକ୍ତ ୪ ଜଣଙ୍କ ବିରୋଧରେ ମାମଲା ଚାଲିବ।
କାନାଡ଼ାର ଅଭିଯୋଗ ପରେ ଯାହା ପ୍ରମାଣ ଥାଉ ନା କାହିଁକି ଡୋଭାଲ କିନ୍ତୁ ନିଜ୍ଜର ହତ୍ୟା କିମ୍ବା କାନାଡ଼ାରେ ହେଉଥିବା କୌଣସି ହିଂସା ନେଇ ଭାରତର ସମ୍ପୃକ୍ତିକୁ ଖଣ୍ଡନ କରିଥିଲେ। ୱାଶିଟଂନ ପୋଷ୍ଟର ରିପୋର୍ଟ ଅନୁସାରେ, କାନାଡ଼ାରେ ଥିବା ଭାରତୀୟ ହାଇ କମିଶନ ସଞ୍ଜୟ ବର୍ମାଙ୍କ ସହିତ ୫ ଭାରତୀୟ ରାଷ୍ଟ୍ରଦୂତ ଶିଖ୍ ବିଛିନ୍ନତାଦାବୀଙ୍କ ବିଷୟରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ସେମାନଙ୍କୁ ମାରିବା ଓ ଧମକଚମକ ଦେବାରେ ସିଧାସଳଖ ସାମିଲ ଥିଲେ। ଏହାପରେ କାନାଡ଼ା ୫ ଭାରତୀୟ ରାଷ୍ଟ୍ର ଦୂତଙ୍କୁ ନିଲମ୍ବନ କରିବା ସହ ଦେଶ ଛାଡ଼ି ଚାଲିବାକୁ ନିର୍ଦ୍ଦେଶ ଦେଇଥିବା ୱାଶିଂଟନ ପୋଷ୍ଟ ଦାବି କରିଛି।
ଅନ୍ୟପଟେ ଭାରତ ବି ଯେଶାକୁ ତେଶା ନୀତିରେ ୬ କାନାଡ଼ା ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିବା ସହ ଦେଶ ଛାଡ଼ି ଚାଲିଯିବାକୁ କହିଛି। ଭାରତ ଓ କାନାଡ଼ା ମାମଲାରେ ପଶ୍ଚିମ ଗଣମାଧ୍ୟମଗୁ଼ଡ଼ିକ ଭ୍ରମିତ ଓ ମିଥ୍ୟା ଖବର କରୁଥିବାର ଦେଖାଯାଉଛି। ଭାରତ ଛବି ଖରାପ କରିବାରେ ଆମେରିକୀୟ ଗଣମାଧ୍ୟମ ଲାଗିପଡ଼ିଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।