ମୁମ୍ବାଇ ୩୧।୫: ମେ ୨୦୨୫ ଭାରତୀୟ ପୁଞ୍ଜିବଜାର ଲାଗି ଐତିହାସିକ ମାସ ସାବ୍ୟସ୍ତ ହୋଇଛି। ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ (ଏନଏସଡିଏଲ) ଅନୁସାରେ ଚଳିତମାସରେ ଭାରତରେ ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫପିଆଇ)ର ଶୁଦ୍ଧ ପ୍ରବାହ ୧୯,୮୬୦ କୋଟି ଟଙ୍କା। ଏହା ଏହି ବର୍ଷର ସବଠୁ ଉଚ୍ଚ ନିବେଶ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବୈଶ୍ୱିକ ନିବେଶକଙ୍କ ନିମନ୍ତେ ଭାରତ ପୁଣି ଥରେ ପସନ୍ଦର ଗନ୍ତବ୍ୟ ପାଲଟିଛି।
୨୬ରୁ ୩୦ ମେ ୨୦୨୫ ସପ୍ତାହରେ ଏଫପିଆଇ ନିବେଶ ଲଗାତାର ସକରାତ୍ମକ ଥିଲା। ସପ୍ତାହର ପ୍ରଥମ ୪ଟି ବ୍ୟବସାୟୀକ ଦିବସରେ ବିଦେଶୀ ନିବେଶକ ଜୋରଦାର କିଣାକିଣି କରିଥିଲେ। ଏଥିରେ କାରବାରର ଶେଷ ଦିନ ଶୁକ୍ରବାର ୧,୭୫୮.୨୩ କୋଟି ଟଙ୍କାର ନିଟ୍ ଉଠାଣ ହୋଇଛି। ଏହା ସତ୍ତ୍ୱେ ପୂରା ସପ୍ତାହରେ ନିଟ୍ ନିବେଶ ପ୍ରବାହ ୬,୦୨୪.୭୭କୋଟି ଟଙ୍କା ଥିଲା। ଚଳିତ ମାସର ବଡ଼ ନିବେଶ ସତ୍ତ୍ୱେ ଜାନୁୟାରୀରୁ ମେ ୨୦୨୫ ମଧ୍ୟରେ ବିଦେଶୀ ନିବେଶକଙ୍କ ଦ୍ୱାରା କରାଯାଇଥିବା ନିଟ୍ ନିବେଶ ଏବେବି ୯୨,୪୯୧ କୋଟି ଟଙ୍କା କ୍ଷତିରେ ରହିଛି।
ଏଫପିଆଇ ନିବେଶରେ ଦେଖାଯାଇଥିବା ଅଭିବୃଦ୍ଧିକୁ ଆମେରିକୀୟ ଡଲାରର ଦୁର୍ବଳତା, ଭାରତୀୟ ଅର୍ଥ ବ୍ୟବସ୍ଥାର ଦୃଢତା ଓ ସେୟାର ବଜାରର ସ୍ଥାୟିତ୍ୱ ସହିତ ଯୋଡା ଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ଯଦି ଏହି ଧାରା ଜୁନ ଓ ଆଗକୁ ଜାରି ରହିଲା ତେବେ ଚଳିତ ବର୍ଷର ବାକି ସମୟରେ ମଧ୍ୟ ଏଫପିଆଇ ଗତିବିଦ୍ଧିକୁ ସକରାତ୍ମକ ଦିଶା ଦେଇପାରେ। ମେ ମାସର ଶେଷ ବ୍ୟବସାୟୀକ ଦିବସ ଶୁକ୍ରବାର ବୈଶ୍ୱିକ ସଂକେତ କାରଣରୁ ବଜାର ସାମାନ୍ୟ ହ୍ରାସରେ ବନ୍ଦ ହୋଇଛି। ଏହି ସମୟରେ ସେନସେକ୍ସ ରେ ୦.୨୨% ହ୍ରାସ ହୋଇଥିବା ବେଳେ ନିଫ୍ଟିରେ ୦.୩୩% ହ୍ରାସ ଦେଖାଯାଇଛି।