ଏସିଆ କପ୍ : ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

Published By : Prameya-News7 Bureau | September 24, 2018 IST

ଦୁବାଇ ୨୪|୯: ରବିବାର ଦିନ ଏସିଆ କପ୍ ସୁପର-୪ର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରେ ପାକିସ୍ତାନକୁ ୯ଓ୍ବିକେଟ୍ ରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ପାକିସ୍ତାନ ୫୦ଓଭରରେ ୭ଓ୍ବିକେଟ୍ ହରାଇ ୨୩୭ ରନ୍ କରିଥିଲା । ଭାରତୀୟ ବୋଲର ପୁଣି କମାଲ ଦେଖାଇଥିଲେ । ପାକିସ୍ତାନକୁ ମନଖୋଲା ବ୍ୟାଟିଂ କରିବାର ସୁଯୋଗ ଦେଇନଥିଲେ । ସୂଚନା ଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷରେ ଭାରତର ସବୁଠୁ ବଡ ବିଜୟ । ଏଥିପୂର୍ବରୁ ଅତୀତରେ ଗୋଟିଏ ଓ୍ବିକେଟ୍ ହରାଇ ୩୯.୩ ଓଭରରେ ଭାରତ ୨୩୮ ରନ୍ ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତର ଦୁଇଜଣ ଯାକ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନ ଶତକ ହାସଲ କରିଥିଲେ । ୧୦୦ଟି ବଲ୍ ଖେଳି ୧୬ଟି ଚୌକା ଏବଂ ୨ଛକା ସହାୟତାରେ ଧାଓ୍ବନ ୧୧୪ ରନ୍ କରିଥିଲେ । ସେହିଭଳି ୧୧୯ଟି ବଲ୍ ଖେଳି ଅଧିନାୟକ ରୋହିତ ଶର୍ମା ୧୧୧ରନ୍ କରିଥିଲେ । ଶିଖର ଧାଓ୍ବନଙ୍କ ଏହା ପଞ୍ଚଦଶ ଏକଦିବସୀୟ ଶତକ । ସେହିପରି ରେହିତଙ୍କ ଏହା ଉନବିଂଶ ଏକଦୀବସୀୟ ଶତକ । ଏହାସହ ରୋହିତ ଶର୍ମା ଏକଦିବସୀୟରେ ୭୦୦୦ ରନ୍ ପୂରଣ କରିଛନ୍ତି । ରବିବାର ଦିନ ପାକିସ୍ତାନକୁ ଅଧିକ ରନ୍ କରିବାକୁ ଦେଇନଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ବୁମରା, ଚହଲ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ଓ୍ବିକେଟ୍ ହାସଲ କରିଥିଲେ । ସୁପର-୪ରେ ଭାରତ ଆସନ୍ତାକାଲି ଆଫଗାନିସ୍ତାନକୁ ଭେଟିବ । ତେବେ ୨୮ତାରିଖରେ ହେବାକୁ ଥିବା ଫାଇନାଲରେ ଭାରତ ପ୍ରବେଶ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.