ଜେଲରୁ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଆନ୍ଦୋଳନ ଆରମ୍ଭ , ତେହରିକ-ଏ-ଇନସାଫ ପାର୍ଟିର ଜୋରଦାର ପ୍ରୟାସ

Published By : Prameya-News7 Bureau | July 13, 2025 IST

ଇସଲାମାବାଦ - ପାକିସ୍ତାନର ତେହରିକ-ଏ-ଇନସାଫ ପାର୍ଟି ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ମୁକ୍ତିର ଦାବିକୁ ନେଇ ‘ଇମ୍ରାନ ଖାନଙ୍କୁ ମୁକ୍ତ କର’ ଆନ୍ଦୋଳନ ଆରମ୍ଭ କରିଛି। ପାର୍ଟି ରବିବାର ଏହି ସୂଚନା ଦେଇଛି। ହେଲେ , ପୁଲିସ ଅଣ ଔପଚାରିକ ଭାବେ ଆରମ୍ଭ କରାଯାଇ ଥିବା ଏହି ଆନ୍ଦୋଳନରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସାମିଲ ହେବାରୁ ରୋକିବା ପାଇଁ ଅନେକ ଗିରଫଦାରୀ କରିଛି। 

ଆନ୍ଦୋଳନର ଏହି ଅଣଔପଚାରିକ ଆରମ୍ଭ ପାର୍ଟିର ପୂର୍ବ ଘୋଷିତ ତାରିଖ ପାଞ୍ଚ ଅଗଷ୍ଟରୁ ମାସେରୁ କମ୍‌ ସମୟ ପୂର୍ବରୁ ହୋଇଛି। ଖୈବର ପଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ଓ ପାର୍ଟିର ପ୍ରମୁଖ ନେତ ଅଲୀ ଅମିନ ଗଣ୍ଡାପୁର ପାର୍ଟି ନେତାଙ୍କ ସହ ଶନିବାର ବିଳମ୍ୱିତ ରାତିରେ ଲାହୋରରେ ପହଞ୍ଚି ଥିଲେ ଏବଂ ଖାନଙ୍କୁ ମୁକ୍ତ କରାଇବା ପାଇଁ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। କ୍ରିକେଟରରୁ ରାଜନୀତିକ ନେତା ପାଲଟି ଥିବା ୭୨ ବର୍ଷିୟ ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲ୍‌ରେ ଅଛନ୍ତି , କାରଣ ତାଙ୍କ ଉପରେ ଅନେକ ମାମଲାରେ ମୋକଦମା ରୁଜୁ କରାଯାଇ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପାର୍ଟି ପାଞ୍ଚ ଅଗଷ୍ଟରୁ ସାରାଦେଶରେ ଏକ ବଡ଼ ଅଭିଯାନର ଆରମ୍ଭ କରିବାର ପ୍ରସ୍ତୁତି କରୁଛନ୍ତି , ଏହାକି ଶହବାଜ ଶରିଫ ସରକାର ଓ ସେନା ଉପରେ ଖାନଙ୍କୁ ମୁକ୍ତ କରିବାକୁ ଚାପ ପକାଯାଇ ପାରିବ। 

ଅଲୀ ଅମିନ ଓ ପାର୍ଟିର ଅନ୍ୟ ପ୍ରମୁଖ ନେତା ନିଜର ବିରୋଧ ଅଭିଯାନକୁ ଅନ୍ତିମ ରୂପ ଦେବା ପାଇଁ ଲାହୋରର ରାୟୱିଣ୍ଡ ଅଞ୍ଚଳରେ ଏକ ଫାର୍ମହାଉସ୍‌ରେ ଡେରା ପକାଇଛନ୍ତି। ଏହି ମଧ୍ୟରେ , ପୁଲିସ ଅଭିଯୋଗ ଅନୁସାରେ ,  ଅତି କମ୍‌ରେ ୨୦ଜଣ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି, ଯେଉଁମାନେ ଲାହୋରରେ ଅଲଗା ଅଲଗା ସ୍ଥାନରେ ନିଜର ନେତାଙ୍କ ସ୍ୱାଗତ କରିବା ପାଇଁ ଏକତ୍ର ହୋଇଥିଲେ।

ପାର୍ଟିର ଜଣେ ମୁଖପାତ୍ର ରବିବାର କହିଛନ୍ତି ଯେ, ପଞ୍ଜାବ ପୁଲିସ ତାଙ୍କର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି। ସେ କହିଛନ୍ତି , ପୁଲିସ ଗତ କିଛି ଦିନରୁ ପଞ୍ଜାବ ପ୍ରଦେଶ , ବିଶେଷକରି ଲାହୋରରେ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ, ବିରୋଧ ପ୍ରଦର୍ଶନ କାର୍ଯ୍ୟକଳାପରେ ଯୋଗ ଦେବାରେ ରୋକିବା ପାଇଁ  ସେମାନଙ୍କ ଘରେ ଉପରେ ଚଢାଉ କରୁଛି। ପଞ୍ଜାବ ପୁଲିସର ଜଣେ ମୁଖପାତ୍ର ଖାନଙ୍କ ପାର୍ଟିର କୌଣସି ବି କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀକୁ ଅସ୍ୱୀକାର କରିଛନ୍ତି। ହେଲେ ଏକ ପୁଲିସ ସୂତ୍ରାନୁସାରେ , ଲାହୋର ଓ ଅନ୍ୟ ସ୍ଥାନରୁ ପାର୍ଟିର ଅତି କମ୍‌ରେ ୨୦ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନିଆଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.