ଶତ୍ରୁଙ୍କ ନିଦ ହଜାଇବ ‘ଆଇଏସି ବିକ୍ରାନ୍ତ’; ସେପ୍ଟେମ୍ୱରରେ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ୍ କରିବେ ମୋଦୀ
22/08/2022 at 8:35 PM

ନୂଆଦିଲ୍ଲୀ ୨୨/୦୮: ନୌସେନା ହେବ ଆହୁରି ଶକ୍ତିଶାଳୀ। ଆସନ୍ତା ସେପ୍ଟେମ୍ୱର ୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ବାହକ ଜାହାଜ ‘ଆଇଏସି ବିକ୍ରାନ୍ତ’କୁ ନୌସେନାରେ ସାମିଲ୍ କରିବେ। କୋଚିନ ସିପୟାର୍ଡ ଲିମିଟେଡ୍ ଭିତରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥିତ ସ୍ଥାନରେ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଭାରତୀୟ ନୌ-ସେନାରେ ଏହି ଯୁଦ୍ଧ ପୋତକୁ ସାମିଲ୍ କରିବେ। ୨୦ ହଜାର କୋଟି ଟଙ୍କା ଖର୍ଚ୍ଚରେ କୋଚିନ୍ ସିପୟାର୍ଡ ଲିମିଟେଡ୍ ଏହି ଯୁଦ୍ଧ ପୋତକୁ ତିଆରି କରିଛି। ଚତୁର୍ଥ ଓ ଶେଷ ପର୍ଯ୍ୟାୟର ସାମୁଦ୍ରିକ ପରୀକ୍ଷଣରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଜୁଲାଇ ୨୮ରେ ସିଏସଏଲ (କୋଚିନ୍ ସିପୟାର୍ଡ ଲିମିଟେଡ୍) ପକ୍ଷରୁ ଭାରତୀୟ ନୌସେନାକୁ ଏହି ଯୁଦ୍ଧ ପୋତକୁ ହସ୍ତାନ୍ତର ଦିଆଯାଇଥିଲା। ଆନୁଷ୍ଠାନିକ ଭାବେ ଏହାର ସୂଚନା ଦିଆଯାଇଛି।
ଏହି ବିମାନ ବାହକ ଯାହାଜ ପାଇଁ ଲଢ଼ୁଆ ଯୁଦ୍ଧ ବିମାନକୁ ମଧ୍ୟ ଅଣାଯାଇଛି। ଏହା ‘ମିଗ୍-୨୯’ ଲଢ଼ୁଆ ବିମାନ, ‘କାମୋବ-୩୧’ ହେଲିକ୍ୟାପ୍ଟର, ‘ଏମଏଚ-୬୦ଆର୍’ ମଲ୍ଟି ଟାସ୍କିଙ୍ଗ ହେଲିକ୍ୟାପ୍ଟରକୁ ସଞ୍ଚାଳନ କରିବାକୁ ପ୍ରସ୍ତୁତ ରହିଛି। ଆଇଏସି ବିକ୍ରାନ୍ତର ନୌସେନାରେ ସାମିଲ୍ ହେବା ଦ୍ୱାରା ସହିତ ଯେଉଁ ଦେଶମାନଙ୍କ ପାଖରେ ସ୍ୱଦେଶୀ ଜ୍ଞାନ କୌଶଳରେ ବିମାନ ବାହକ ଯୁଦ୍ଧର ଡିଜାଇନ୍ ଓ ନିର୍ମାଣ କରିବାର କ୍ଷମତା ରହିଛି ଭାରତ ସେହି ଦେଶମାନଙ୍କ ତାଲିକାରେ ସ୍ଥାନ ପାଇବ। ଭାରତୀୟ ନୌସେନାର ଇନ୍ ହାଉସ୍ ଡାଇରେକ୍ଟରେଟ୍ ଅଫ୍ ନେଭାଲ୍ ଡିଜାଇନ୍ (ଡିଏନଡି) ଦ୍ୱାରା ଡିଜାଇନ୍ କରାଯାଥିବା ଓ ସିଏସଏଲ ଦ୍ୱାରା ତିଆରି ହୋଇଥିବା ଏହି ଯୁଦ୍ଧ ଯାହାଜର ନାମ ଭାରତର ପୂର୍ବତନ ପ୍ରଥମ ଏୟାର୍କ୍ରାଫ୍ଟ କ୍ୟାରିଅର ‘ଆଇଏନଏସ ବିକ୍ରାନ୍ତ’ ନାମରେ ରଖାଯାଇଛି। ଯାହାକି ୧୯୭୧ ମସିହା ଭାରତ-ପାକିସ୍ତାନ୍ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା।
ଆଇଏସି ବିକ୍ରାନ୍ତରେ ୨,୩୦୦ରୁ ଅଧିକ କମ୍ପାର୍ଟମେଣ୍ଟ ରହିଛି। ଯାହାକି ପାଖାପାଖି ୧,୭୦୦ରୁ ଅଧିକ ଲୋକଙ୍କ ଦଳ ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ମହିଳା ସେନାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନର ବ୍ୟବସ୍ଥା ମଧ୍ୟ ରହିଛି। ବିକ୍ରାନ୍ତର ଅଧିକତମ ବେଗ ପାଖାପାଖି ୨୮ ସମୁଦ୍ରି ମିଲ୍ ରହିଛି। ଆଇଏସି ବିକ୍ରାନ୍ତର ଲମ୍ୱ ୨୬୨ ମିଟର ହୋଇଥିବା ବେଳେ, ଏହାର ୬୨ ମିଟର୍ ଚୌଡ଼ା ଓ ୫୯ ମିଟର ଉଚ୍ଚତା ରହିଛି। ସବୁଠାରୁ ବିଶେଷ କଥା ହେଉଛି ଏହାର ନିର୍ମାଣ ୨୦୦୯ରେ ଆରମ୍ଭ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ୧୩ ବର୍ଷ ସମୟ ଲାଗିଛି। ଆଏସି ବିକ୍ରାନ୍ତର ଫ୍ଲାଇଟ୍ ଡେକ୍ ଦୁଇଟ୍ ଫୁଟବଲ୍ ଖେଳ ପଡ଼ିଆର ଆକାର ସହିତ ସମାନ। ଏହି ବଡ଼ ଯୁଦ୍ଧ ଯାହାଜକୁ ପାଦରେ ଚାଲିଚାଲି ଅତିକ୍ରମ କଲେ ଏହାର ଦୂରତା ୮ କି.ମି. ହେବ। ଆଇଏସିରେ ଥିବା ୮ଟି ପାୱାର ଜେନେରେଟର ସମ୍ପୂର୍ଣ୍ଣ କୋଚି ସହରକୁ ଆଲୋକିତ କରିବାରେ ସକ୍ଷମ । ଏହି ଯୁଦ୍ଧ ପୋତରେ ସମସ୍ତ ସେବା ଓ ସୁବିଧା ସହିତ ଏକ ଅତ୍ୟାଧୁନିକ ଡାକ୍ତରଖାନା ମଧ୍ୟ ରହିଛି।