କରୋନା କରିଦେଲା ପର : କାନ୍ଧ ଦେବାକୁ ଆସିଲେନି କେହି, ସ୍ତ୍ରୀର ଶବକୁ ଏକୁଟିଆ ବୋହିଲେ ସ୍ବାମୀ

Published By : Prameya-News7 Bureau | July 02, 2021 IST

ଫୁଲବାଣୀ ୨।୭: ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇପଡିବା ଫଳରେ ସ୍ବାମୀ ଚିକିତ୍ସା ପାଇଁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମେଡିସିନର ମହିଳା ଓ୍ବାର୍ଡରୁ ଚିକିତ୍ସିତ ହେଉଥିଲେ । ତେବେ ମୃତଦେହକୁ କାନ୍ଧ ଦେବାକୁ କେହି ଆସିଲେନି । ନା’ ମେଡିକାଲ କର୍ମଚାରୀ ନା’ ସମ୍ପର୍କୀୟମାନେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଫିରିଙ୍ଗିଆ ଅଞ୍ଚଳର ମୋଦିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ସ୍ତ୍ରୀ ରୁତୁମତୀ ଆଜମା ଥିବା ଯୋଗୁଁ ୨୯ରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଚାରି ଘଣ୍ଟା ଧରି ଶବ ପଡିବା ପରେ କେହି କାନ୍ଧ ଦେବାକୁ ଆସିନଥିଲେ । ଶେଷରେ ମହାପରାୟଣ ଗାଡ଼ି ମିଳିବା ପରେ ଶବକୁ ତାଙ୍କ ସ୍ଵାମୀ ନିଜ ହାତରେ ବୋହି ଆଣିଥିଲେ । ଏହିଭଳି ଘଟଣା ସାରା କନ୍ଧମାଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.