କାବୁଲ ୧୭।୧୦: ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନୀ ସୀମା ଫୋର୍ସ ଗତ ସପ୍ତାହରେ ଶତାଧିକ ଆଫଗାନ ନାଗରିକଙ୍କୁ ହତ୍ୟା କରିଛନ୍ତି, କାରଣ ସେମାନେ ପାକିସ୍ତାନ ରାସ୍ତାରେ ଅବୈଧ ରୂପେ ସିଆ ଦେଶକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ତାଲିବାନ ଅଧିକାରୀମାନେ ଏବେ ଏହି ଅଭିଯୋଗର ତଦନ୍ତ କରୁଛନ୍ତି। କାବୁଲରେ ତାଲିବାନ ଉପମୁଖପାତ୍ର ହମଦୁଲ୍ଲା ଫିତରତ କହିଛନ୍ତି ଯେ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ଆଫଗାନ କୁଟନୈତିକ ମିସନ ରିପୋର୍ଟ ପୁଷ୍ଟି ପାଇଁ ବ୍ୟାପକ ଯାଞ୍ଚ ଆରମ୍ଭ କରିଛନ୍ତି।
ଇରାନୀ ସେନାଙ୍କ ଗୁଳିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଅଚାନକ ସ୍ପଷ୍ଟ ହୋଇ ନାହିଁ, ତେବେ କେତେକ ମିଡିଆ ରିପୋର୍ଟରୁ ମୃତ୍ୟୁ ସଂଖ୍ୟା ୨୫୦ରୁ ଅଧିକ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଇରାନ ମାନବାଧିକାର ସଙ୍ଗଠନ (ହଲଭାସ) ୨ ଆଫଗାନ ସାକ୍ଷୀଙ୍କ ପ୍ରମାଣ ଦେଇ କହିଛି ଯେ ଏହି ଘଟଣା ୧୨ ଅକ୍ଟୋବର ଶନିବାର ରାତିରେ କଲଗନ ସରଭାନ ସୀମାବର୍ତ୍ତି ଅଞ୍ଚଳରେ ହୋଇଛି। ସମୂହ ଅନୁସାରେ ଏଥିରେ ପାଖାପାଖି ୩୦୦ ଜଣ ଲୋକ ଥିଲେ। ଯେଉଁମାନଙ୍କ ମଧ୍ୟରୁ ଏବେ ମାତ୍ର ୬୦ ଜଣ ଜୀବିତ ବଞ୍ଚିଛନ୍ତି।
ତେବେ ତାଲିବାନ କହିଛି ଏବେ ଘଟଣା ପୁଷ୍ଟି ହୋଇ ନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରାଯାଇଥିବା ବୟାନରେ ଫିତରତ କହିଛନ୍ତି ଯେ ଯେହେତୁ ଏହି ଘଟଣା ଆଫଗାନିସ୍ତାନ ସୀମାରୁ ବାହାରେ ହୋଇଛି ଏଣୁ ଉପଲବ୍ଧ ସୂଚନା ଏବେବି ସତ୍ୟାପିତ ହୋଇ ପାରିନାହିଁ । ସେ କହିଛନ୍ତି ଯେ ତଥ୍ୟର ଗହନ ସ୍ପଷ୍ଟିକରଣ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଇରାନର ସ୍ୱତନ୍ତ୍ର ରାଷ୍ଟ୍ରପତିଙ୍କ ଦୂତ ତଥା କାବୁଲରେ ରାଜଦୂତ ହସନ କାଜମୀ କୋମୀ ଏହି ରିପୋର୍ଟ ଗୁଡିକୁ ଖାରଜ କରିଦେଇଛନ୍ତି।
ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ବିଶ୍ୱସନୀୟ ସୂତ୍ର ପୁଷ୍ଟି କରିଛନ୍ତି ଯେ ସରଭନ ସୀମାରେ ଅବୈଧ ନାଗରିକଙ୍କ ମୃତ୍ୟୁ ଖବର ସତ୍ୟ ନୁହେଁ। ତେବେ ସେ କହିଛନ୍ତି ଯେ ଇରାନୀ ସୀମାବଳ ଅବୈଧ ନାଗରିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବାକୁ ବାଧ୍ୟ। ସେ ଜୋର ଦେଇ କହିଛନ୍ତି ଯେ ଅନଧିକୃତ ନାଗରିକଙ୍କ ଅବୈଧ ପ୍ରବେଶର ଆଇନତଃ ଜବାବ ଦେବା ଦେଶମାନଙ୍କର ବୈଧ ଅଧିକାର ଓ କୌଣସି ଦେଶର ସୀମା ସୁରକ୍ଷା ବଳ ଅବୈଧ ନାଗରିକଙ୍କ ପ୍ରବେଶ ରୋକିବାକୁ ବାଧ୍ୟ। ଇରାନ ଓ ପାକିସ୍ତାନରେ ଲକ୍ଷଲକ୍ଷ ଅନିର୍ଦ୍ଧିଷ୍ଟ ଆଫଗାନ ଶରଣାର୍ଥୀ ବସବାସ କରୁଛନ୍ତି। ୩ ବର୍ଷ ପୂର୍ବେ କାବୁଲରେ ତାଲିବାନ ଶାସନ ହାତେଇବା ପରେ ଉଭୟ ଦେଶ ହଜାର ହଜାର ଆଫଗାନ ଶରଣାର୍ଥୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇଥିଲେ।