ଠାଣେ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ, ୪୮ ଆହତ

Published By : Prameya-News7 Bureau | May 23, 2024 IST

ଠାଣେ ୨୩।୫: ମହାରାଷ୍ଟ୍ର ଠାଣେ ଜିଲ୍ଲା ଡୋମ୍ବିଭଲିରେ ଗୁରୁବାର ଏକ ରସାୟନିକ ଫ୍ୟାକ୍ଟ୍ରିର ବୟଲର ଫାଟିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିସ୍ଫୋରଣ ପରେ ବୟଲରରେ ନିଆଁ ଲାଗିଯାଇଥିଲା। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ପାଇ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି। ବିସ୍ଫୋରଣ ଡୋମ୍ବିଭଲି ଏମଆଇଡିସି ଫେଜ-୨ସ୍ଥିତ ଏମ୍ବର କେମିକାଲ କମ୍ପାନୀରେ ହୋଇଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହି ଶବ୍ଦ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏହି ବିସ୍ଫୋରଣ ଯୋଗୁ କାରଖାନା ଆଖପାଖରେ ଥିବା ଘର ଓ କାର୍ଯ୍ୟାଳୟର କାଚ ଝରକା ଫାଟି ଯାଇଛି। ଏହା ଛଡା କେତେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି। ଅଧିକାରୀ କହିଛନ୍ତି ଯେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ମଧ୍ୟାହ୍ନ ପ୍ରାୟ ଗୋଟାଏ ୪୦ ମିନିଟ୍‌ରେ ହୋଇଥିଲା ବୋଲି ଠାଣେ ନଗରନିଗମ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରକୋଷ୍ଠ ମୁଖ୍ୟ ୟାସିନ ତଡଭି କହିଛନ୍ତି। 

ସେ କହିଛନ୍ତି ଯେ ବିସ୍ଫୋରଣ ପରେ ଲାଗିଥିବା ନିଆଁ ଆଖପାଖରେ ଥିବା ୩ଟି ଅନ୍ୟ ଫ୍ୟାକ୍ଟ୍ରିକୁ ବ୍ୟାପିଯାଇଥି୍ଲା। ଫଳରେ ଧୂଆଁ ବେଶ ଉଚ୍ଚକୁ ଉଠୁଥିବା ଦେଖାଯାଇଛି। ଘଟଣାସ୍ଥଳକୁ ଡିଏମ ପହଞ୍ଚିଛନ୍ତି। ଏନଡିଆରଏଫ, ଟିଡିଆରଏଫ ଓ ଦମକଳ ବିଭାଗ ମିଳିତ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.