ନୂଆଦିଲ୍ଲୀ: ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଆମେରିକା ସମେତ ଅନ୍ୟ ପଶ୍ଚିମ ଦେଶଗୁଡ଼ିକ ଋଷକୁ ଏକଘରକିଆ କରିଦେଇଛନ୍ତି। ଋଷ ଉପରେ ବର୍ତ୍ତମାନ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ଋଷର ଅର୍ଥବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଋଷ ଏବେ ଭାରତର ସହଯୋଗ ଲୋଡ଼ିଛି। ଋଷ ଚାହୁଁଛି ଭାରତ ତା ଠାରୁ ତେଲ କିଣୁ ଓ ତୈଳ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ କରୁ।
ଏନେଇ ଋଷ ଉପପ୍ରଧାନମନ୍ତ୍ରୀ ଆଲେକ୍ଜ୍ୟାଣ୍ଡର ନୋଭାକ୍ ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହିତ ଆଲୋଚନା କରିଥିଲେ। ଉପରୋକ୍ତ ଦିଗରେ ବ୍ୟବସାୟ ବଢ଼ାଇବାକୁ ମଧ୍ୟ ନୋଭାକ ପ୍ରସ୍ତାବ ଦେଇଥିଲେ।
ଏହାପରେ ଋଷ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଭାରତ ଋଷ ଠାରୁ ବାର୍ଷିକ ଏକ ବିଲିୟନ ଡଲାର ପେଟ୍ରୋଲିୟମ ଆମଦାନୀ କରିଥାଏ। ଭବିଷ୍ୟତରେ ଏହି କାରବାର ବଢ଼ିପାରେ। ତେବେ ଋଷର ମନ୍ତବ୍ୟକୁ ନେଇ ଭାରତ ପକ୍ଷରୁ କିନ୍ତୁ ଏର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ କି ଋଷ ଠାରୁ ଆମଦାନୀକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇ ନାହିଁ।
ହେଲେ ନ୍ୟୁଜ୍ ଏଜେନ୍ସି ରୟଟର୍ସ କହୁଛି ଯେ ଭାରତ ଋଷ ଠାରୁ ଅଶୌଧିତ ତୈଳ ଓ ଅନ୍ୟ ସାମଗ୍ରୀ ରିହାତି ମୂଲ୍ୟରେ କିଣିବାକୁ ଯୋଜନା କରୁଛି। ତେଣୁ ଏସବୁ ଭିତରେ ଆମେରିକାର ପ୍ରତିବନ୍ଧକ ଲାଗିଛି। ତେଣୁ ଭାରତ ଋଷ ଠାରୁ କେମିତି ଓ କେତେ ତେଲ କିଣିବ ସେ ନେଇ ପ୍ରଶ୍ନ ଉଠିଛି।
ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ ତେଲ ଉତ୍ପାଦନର ୧୨ ପ୍ରତିଶତ ଋଷ ଓ ସାଉଦି ଆରବରୁ ହେଉଥିବା ବେଳେ ୧୬-୧୮ ପ୍ରତିଶତ ଉତ୍ପାଦନ ଆମେରିକାରେ ହେଉଛି। ଆଉ ଭାରତ ମୋଟ ୮୫ ପ୍ରତିଶତ ତେଲ ଆମଦାନୀ କରିଥାଏ। ଯେଉଁଥିରୁ ୬୦ ପ୍ରତିଶତ ଗଲ୍ଫ ଦେଶରୁ ଆମଦାନୀ କରାଯାଏ। ତେଲ ଆମଦାନୀ ପାଇଁ ଭାରତ ଅଧିକାଂଶ ସାଉଦୀ ଆରବ ଓ ଆମେରିକା ଉପରେ ନିର୍ଭର କରିଥାଏ।
ଏହି ଖବରଟିକୁ ପଢ଼ନ୍ତୁ- ଋଷ ଠାରୁ ରିହାତି ଦରରେ ତେଲ କିଣିବା ପ୍ରସଙ୍ଗ: ଭାରତ କହିଲା, ଆଇନ ଅନୁସାରେ ଇନ୍ଧନ କିଣିବାରେ ରାଜନୀତିକରଣ କରାନଯାଉ
ଏହା ବ୍ୟତୀତ ଭାରତ, ଇରାକ, ଇରାନ, କୁଏତ, ଓମାନ, ଆମେରିକା ଓ ଋଷରୁ ମଧ୍ୟ ତେଲ ଆମଦାନୀ କରିଥାଏ। ତା ସହିତ କିଛି ଖୁଚୁରାବଜାରରୁ ମଧ୍ୟ ତେଲ କିଣିଥାଏ ଭାରତ। ତେବେ ଋଷ ୟୁରୋପୀୟ ଦେଶର ତୈଳ ଆବଶ୍ୟକତାକୁ ପୂରଣ କରୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ହୋଇ ବି ଋଷ ଠାରୁ ମାତ୍ର ୨ ପ୍ରତିଶତ ତେଲ କିଣିପାରୁଛି। ଭାରତର ଏତେ କମ୍ ପରିମାଣରେ ତେଲ କିଣିବାର ଅନେକ କାରଣ ରହିଛି।
{"width":839,"height":629}ଶକ୍ତି ବିଶେଷଜ୍ଞ ନରେନ୍ଦ୍ର ତନେଜା ବିବିସିକୁ ଦେଇଥିବା ଏକ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତ ଅଧିକ ତେଲ ଆମଦାନୀ ନ କରିପାରିବାର କାରଣ ହେଉଛି ଋଷର ଭୌଗଳିକ ସ୍ଥିତି। ଋଷରେ ଯେଉଁ ଅଞ୍ଚଳରୁ ତେଲ ଉତ୍ପାଦନ ହେଉଛି ତାହା ପୂର୍ବାଞ୍ଚଳ ଠାରୁ ଦୂରରେ ରହିଛି। ତେବେ ଉତ୍ତରାଞ୍ଚଳର ଅଧିକାଂଶ ଭାଗ ବରଫରେ ଆଚ୍ଛାଦିତ ରହୁଥିବାରୁ ସେଠାରୁ ତେଲ ଆଣିବାରେ ସମସ୍ୟା ସୃଷ୍ଟି ହେଉଛି। ଏପଟେ ତୃତୀୟ ରାସ୍ତା ହେଲା ବ୍ଲାକ୍ ସି। ଯାହା ଏବେ ଯୁଦ୍ଧ କାରଣରୁ ବନ୍ଦ ରହିଛି। ତେଣୁ ଭାରତ ତେଲ ଆଣିବ ତ କେମିତି ଆଣିବ ?
ଏପଟେ ଭାରତର ସ୍ଥିତିକୁ ଦେଖିଲେ ଗତ ୧୦ ବର୍ଷରେ ଭାରତ ତେଲ ଆମଦାନୀ ନେଇ ଗୋଟିଏ ଦେଶ ଉପରେ ନିର୍ଭାରଶୀଳତା କମାଇବା ପାଇଁ ଆମେରିକା ଓ ଋଷ ଭଳି ଦେଶରୁ ତେଲ କିଣିବା ଆରମ୍ଭ କରିଛି। ନରେନ୍ଦ୍ର ତନେଜାଙ୍କ କହିବା ଅନୁସାରେ, ତେଲ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଭାରତ ଋଷରେ ୧୬ ବିଲିୟନ ଡଲାର ନିବେଶ କରିଛି। ହେଲେ ଆମଦାନୀରେ ସମସ୍ୟା ଯୋଗୁ ଏହି ତେଲ ଭାରତ କିଣେ ନାହିଁ। ଅନ୍ୟ ଦେଶକୁ ବିକ୍ରି କରିଦେଇଥାଏ।
ତେବେ ବର୍ତ୍ତମାନ ଯୁଦ୍ଧ କାରଣରୁ ଋଷ ଠାରୁ ତେଲ କିଣାଯାଉ ନାହିଁ। ଏଥିପାଇଁ ସାରା ବିଶ୍ୱରେ ତେଲ ଦର ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଋଷ ଭାରତକୁ କମ୍ ମୂଲ୍ୟରେ ତେଲ ବିକ୍ରି କରିବାକୁ ରାଜି ହୋଇଛି। ଆଉ ଭାରତ ଏଭଳି ପ୍ରସ୍ତାବକୁ ହାତଛଡ଼ା କରିବାକୁ ଚାହୁଁ ନଥିବା ବେଳେ ଋଷରୁ ତେଲ ଆମଦାନୀ କରିବା କାଠିକର ପାଠ ହୋଇପଡ଼ିଛି।
ସେହିପରି ଏ ଦିଗରେ ବ୍ୟାଖ୍ୟା କରି ପୂର୍ବତନ କେନ୍ଦ୍ର ଆର୍ଥସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ ଋଷରୁ ତେଲ କିଣିବା ପାଇଁ କେବଳ ଆମେରିକାରେ ପ୍ରତିବନ୍ଧକ ଲାଗିଛି। ଭାରତ କିନ୍ତୁ ଋଷ ଠାରୁ ତେଲ କିଣିପାରିବ। ହେଲେ ଋଷରୁ ତେଲ ଆମଦାନୀ ହେବ କେମିତି। ସାଇବେରିଆ ସାଇଟ୍ରେ ଋଷ ନିଜ ସାମଗ୍ରୀ ପହଞ୍ଚାଇପାରୁ ନଥିବା ବେଳେ ବ୍ଲାକ ସି ରାସ୍ତା ବନ୍ଦ।
ଏପଟେ ତେଲ କିଣିଲେ ମୂଲ୍ୟ ଦେବାରେ ବି ସମସ୍ୟା ରହିଛି। କାରଣ ଭାରତ-ଋଷ ମଧ୍ୟରେ ଆମଦାନୀ ଓ ରପ୍ତାନୀ ସମାନ ନୁହେଁ। ଭାରତ ଋଷ ଠାରୁ ଅଧିକ କିଣେ, କମ୍ ବିକ୍ରି କରେ। ଅନ୍ୟପଟେ ଋଷ ଭାରତୀୟ ମୁଦ୍ରାରେ ତେଲ ବିକ୍ରି କରିବାକୁ ଚାହୁଁ ନାହିଁ। ଭାରତ ମଧ୍ୟ ଋଷ ଟଙ୍କା ରୁବଲରେ କାରବାର କରିବାକୁ ରାଜି ହେଉ ନାହିଁ।
{"width":837,"height":560}ଯଦି ଚୀନ କଥା ଦେଖିବା ତେବେ ଚୀନ ଋଷ ଠାରୁ ଗ୍ୟାସ୍ ଓ ତେଲ ନେବା ପାଇଁ ପାଇପ୍ଲାଇନ୍ ବିଛାଇଛି। ହେଲେ ଭାରତ ପାଖରେ ଏହି ସୁବିଧା ନାହିଁ। ତେବେ ଆଉ ଏକ ଉପାୟ ହେଲା ତଲେ ପରିବହନ କରୁଥିବା ଜାହାଜ। କିନ୍ତୁ ଯୁଦ୍ଧ ସମୟରେ ଜାହାଜ ମିଳିବା ମୁସ୍କିଲ୍। ଆଉ ଯଦି ବି ଜାହାଜ ମିଳିଲା ତେବେ ବୀମା କରାଇବା ସମ୍ଭବ ନୁହେଁ।
ନରେନ୍ଦ୍ର ତନେଜାଙ୍କ ସୂଚନା ଅନୁସାରେ, ଭାରତରେ ପ୍ରତିଦିନ ୫.୨ ମିଲିୟନ ବେରଲ ତେଲ ବ୍ୟବହାର ହୋଇଥାଏ। ଏ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ବଡ଼ ଉପଭୋକ୍ତା। ଆଉ ଯଦି ବି ଭାରତ ଋଷ ଠାରୁ ଏକ ଲକ୍ଷ କିମ୍ବା ଦୁଇ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କରେ ତେବେ ବି ଭାରତରେ ତେଲ ମୂଲ୍ୟରେ କିଛି ପ୍ରଭାବ ପଡ଼ିବ ନାହିଁ।