ପୁରୀ ୧୮/୧୦: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି। ତେବେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତ ୨୦୨୪ର ଶୁଭାରମ୍ଭ କରିବେ।
ଏଥିସହ ପୁରୀ ବିଧାୟକ ଓ ସାଂସଦଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତରେ ହବିଷ୍ୟାଳୀମାନେ ଚଉରାମୂଳେ ରାଧାଦାମୋଦର ପୂଜା କରିବା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ଥିବାରୁ ହବିଷ୍ୟାଳି ମାନଙ୍କ ଭିଡ ଜମିଛି ପୁରୀରେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଅଢେଇ ହଜାର ବ୍ରତ ଧାରିଣୀଙ୍କ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ମହାପ୍ରସାଦ ସେବନ, ସ୍ବାସ୍ଥ୍ୟ ସେବା ଓ ଶ୍ରୀଜୀଉଙ୍କ ଦର୍ଶନ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି। ଅନ୍ୟପଟେ ପୁରୀରେ ଥିବା ବିଭିନ୍ନ ମଠ ବାଡ଼ି, ଧର୍ମଶାଳାରେ ମଧ୍ୟ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଜମିଛି।