ଟେଲିଗ୍ରାମ ଚାନେଲରେ ସେୟାର କରାଯାଉଥିଲା ହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ, ବ୍ଲକ କଲେ ସରକାର

Published By : Prameya-News7 Bureau | January 05, 2022 IST

ନୂଆଦିଲ୍ଲୀ ୦୫/୦୧ : ସରକାର ଏକ ଟେଲିଗ୍ରାମ ଚାନେଲକୁ ବ୍ଲକ କରିଦେଇଛନ୍ତି ଯେଉଁଥିରେ ହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ ସେୟାର କରାଯାଉଥିଲା। ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ନିକଟରେ 'ବୁଲ୍ଲି ବାଇ ଆପ'କୁ ନେଇ ମଧ୍ୟ ଏହିଭଳି ବିବାଦ ସାମ୍ନାକୁ ଆସିଥିଲା। ଆପରେ ମୁସଲମାନ ମହିଳାଙ୍କ ଫଟୋକୁ ଅପମାନଜନକ ତରିକାରେ ସେୟାର କରାଯାଉଥିଲା। ମାମଲାରେ ଅନେକ ଲୋକ ଗିରଫ ମଧ୍ୟ ହୋଇଛନ୍ତି।

ମୁମ୍ବାଇ ସାଇବର ପୋଲିସ 'ବୁଲ୍ଲି ବାଇ ଆପ' ମାମଲାରେ ଉତ୍ତରାଖଣ୍ଡରୁ ଆଉ ଜଣେ ଛାତ୍ରକୁ ଗିରଫ କରିଛି। ବୁଧବାର ଦିନ ଜଣେ ଅଧିକାରୀ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ମୟଙ୍କ ରାୱଲ (୨୧) ନାମକ ଛାତ୍ରକୁ ବୁଧବାର ସକାଳୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଛି। ମୁମ୍ବାଇ ପୋଲିସର ସାଇବର ସେଲ ପ୍ରଥମେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶ୍ୱେତ ସିଂହ (୧୯)କୁ ଉତ୍ତରାଖଣ୍ଡରୁ ଓ ଇଞ୍ଜିନିୟରିଙ୍ଗ ଛାତ୍ର ବିଶାଳ ଝା (୨୧)କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା।

ମୁମ୍ବାଇ ପୋଲିସ ଓପନ ସୋର୍ସ ସଫ୍ଟୱେୟାର ପ୍ଲାଟଫର୍ମ 'ଗିଟହବ'ରେ ଅପଲୋଡ଼ କରାଯାଇଥିବା 'ବୁଲ୍ଲି ବାଇ ଆପ'ରେ ନିଲାମୀ ପାଇଁ ବିନା ଅନୁମତିରେ ଶହ ଶହ ମୁସଲମାନ ମହିଳାଙ୍କ ଫେକ ଫଟୋ ଅପଲୋଡ଼ କରିବା ଅଭିଯୋଗ ପରେ ମାମଲା ରୁଜ୍ଜୁ କରିଥିଲା। ମୁମ୍ବାଇ ସାଇବର ପୋଲିସ ଥାନା ଆପର ଅଜଣା ଡେଭେଲପର ଓ ଏହାକୁ ପ୍ରୋତ୍ସାହିତ କରୁଥିବା ଟ୍ୱିଟର ଆକାଉଣ୍ଟ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ କରିଛି। 

କିନ୍ତୁ ବାସ୍ତବରେ କୌଣସି ନିଲାମୀ କିମ୍ବା ବିକ୍ରି ହୋଇନଥିଲା। କିନ୍ତୁ ଟାର୍ଗେଟ କରାଯାଇଥିବା ମହିଳାଙ୍କୁ ଅପମାନ କରିବା ଏବଂ ସେମାନଙ୍କୁ ଡ଼ରାଇବା ଏହି ଆପର ଉଦ୍ଦେଶ୍ୟ ଥିଲା ବୋଲି ଅନୁମାନ କରାଯାଉଛି। ଏମାନଙ୍କ ମଧ୍ୟରେ ଅନେକ ମହିଳା ସୋସିଆଲ ମିଡ଼ିଆରେ ଆକ୍ଟିଭ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.