ଭୁବନେଶ୍ଵର: ବାଲେଶ୍ଵର ଘଟଣା ପରେ ଚେତି ଉଠିଛି ଉଚ୍ଚ ଶିକ୍ଷା ବିଭାଗ। ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ନେଇ ତାଗିଦ୍ କରିଛି ଉଚ୍ଚ ଶିକ୍ଷା ବିଭାଗ। ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତି ବିଷୟରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ କଲେଜରେ ତୁରନ୍ତ ଇଣ୍ଟରନାଲ କମିଟି ଗଢିବାକୁ ଚିଠି ଲେଖା ଯାଇଛି।
ଏହା ସହିତ କମିଟି ସଦସ୍ୟଙ୍କ ନାଁ ଏବଂ ଯୋଗାଯୋଗ ନମ୍ବର HIMS ପୋର୍ଟାଲ ରେ ଅପଲୋଡ଼ କରିବାକୁ ନିର୍ଦ୍ଦେଶ। ଏହା ସହ ଯଥାଶୀଘ୍ର ମହିଳା ଯୌନ ଶୋଷଣ ଏବଂ ଅଭିଯୋଗ ନେଇ ଏକ କର୍ମଶାଳା କରିବାକୁ ନିର୍ଦ୍ଦେଶ। ସବୁ ବିଶ୍ଵ ବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖିଛି।
ବାଲେଶ୍ଵର ଫକିର ମୋହନ କଲେଜର ଛାତ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଘଟଣାକୁ ନେଇ ରାଜନୀତି ଚରମରେ ପହଞ୍ଚିଛି। ବାଲେଶ୍ବରରୁ ଭୁବନେଶ୍ବର ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି ପ୍ରସଙ୍ଗ । ବାଲେଶ୍ବରରେ ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ଏଫଏମ କଲେଜ ସାମ୍ନାରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଧାରଣା, ନାରାବାଜି ଓ ଘେରାଉ କରାଯିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।
ବିଜେଡିର ପ୍ରମୁଖ ନେତାମାନେ ବାଲେଶ୍ବରରେ ଏକାଠି ହୋଇ ନାରାବାଜି କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ସରକାରଙ୍କୁ ନିଶାନା କରି କହିଛନ୍ତି ଯେ, ୫ ଦିନ ତଳୁ ଏସପି, ଜିଲ୍ଲାପାଳ, କଲେଜ ପ୍ରିନ୍ସିପାଲ ସମସ୍ତେ ଜାଣି ମଧ୍ୟ ଛାତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ଘଟଣା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛି ବିଜେଡି । ସେପଟେ ଛାତ୍ର କଂଗ୍ରେସ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଏଥିସହ ସ୍ଥାନୀୟ ବିଧାୟକ, ସାଂସଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଦିଲ୍ଲୀରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋଶ୍ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅଳକା ଲାମ୍ବା ଅଭିଯୋଗ କରିଛନ୍ତି ଯେ, ମହିଳାଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ନୁହେଁ । ଦୋଷୀଙ୍କୁ ଦଣ୍ଡ ମିଳୁନଥିବାରୁ ମହିଳାଙ୍କୁ ନ୍ୟାୟ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଅଳକା ଲାମ୍ବା। AIDSO ସଂଗଠନ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିବାଦ କରାଯାଇଛି ।