ଆସୁଛି ଯୋଡା ଲଘୁଚାପ, ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

Published By : Prameya-News7 Bureau | August 22, 2025 IST

ଭୁବନେଶ୍ୱର,୨୨/୦୮: ପ୍ରବଳ ବର୍ଷା ହୋଇପାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ । ବିଶେଷ  କରି ୨୨, ୨୫ ଓ ୨୬ ତାରିଖରେ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା  ଆଶଙ୍କା ରହିଛି । ରାଜ୍ୟରେ ବର୍ତ୍ତମାନ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । 

ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ  ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ  ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ସେଇ ସ୍ଥାନରେ ଆସନ୍ତା ୨୫  ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି  ହେବା ସମ୍ଭାବନା ଅଛି । ପାଣିପାଗ  ବିଭାଗ ପକ୍ଷରୁ ଦୁଇ ସପ୍ତାହ ଜାରି ବିସ୍ତାରିତ ପୂର୍ବାନୁମାନ ଅନୁସାରେ  ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ  ଅବପାତ ରୂପ ନେବାର ସମ୍ଭାବନା  ସ୍ୱଳ୍ପ ରହିଛି ।

ଏହାର ଗତି ଉତ୍ତର  ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ  ଆଡ଼କୁ ରହିପାରେ । ସେହିପରି  ୨୯ରୁ ସେପ୍ଟେମ୍ବର ୪ ଭିତରେ ଉତ୍ତର  ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା  ଏବଂ ପଶ୍ଚିମବଙ୍ଗ ଉପକୂଳ ପାଖରେ  ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ  ସୃଷ୍ଟି ହୋଇପାରେ ।ଏଭଳି ହେଲେ ସମ୍ଭାବ୍ୟ ୨ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ  ବର୍ଷା ଜାରି ରହିବ । 

ତାଜା ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟର ଅଧିକାଂଶ  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା  ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ  ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଯାଜପୁର, ଖୋର୍ଦ୍ଧା,  ପୁରୀ, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର,  ମୟୂରଭଞ୍ଜ ଏବଂ ଢେଙ୍କାନାଳର ସ୍ଥାନେ ସ୍ଥାନେ ପ୍ରବଳ  ବର୍ଷା ଏବଂ ଘଡ଼ଘଡ଼ି ଆଶଙ୍କା ଅଛି । 

ବାଲେଶ୍ୱର, ଭଦ୍ରକ,  ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ସୋନପୁର, ବୌଦ୍ଧ,  ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  ରାୟଗଡ଼ା, କୋରାପୁଟ ଏବଂ ମାଲକାନଗରିରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ୨୩, ୨୪ ତାରିଖରେ ଅନେକ  ସ୍ଥାନରେ ବର୍ଷା ଏବଂ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା  ସମ୍ଭାବନା ଅଛି । ୨୫ରୁ ବର୍ଷା ପରିମାଣ ଆହୁରି ବଢ଼ିବ । ୨୫  ଓ ୨୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ।  ୨୫ରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ଥିବାବେଳେ ୨୬ରେ ଦକ୍ଷିଣରେ ପ୍ରବଳ ବର୍ଷା ଢାଳିପାରେ । 

ଗୁରୁବାର ରାଜ୍ୟରେ ପାଗ ମେଘୁଆ ଥିବାବେଳେ ଅନେକ  ସ୍ଥାନରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇଥିଲା । ଏତେ ବର୍ଷା ସତ୍ତେ୍ୱ  ୭ଟି ଜିଲ୍ଲାରେ ଏବେ ବି ନିଅଣ୍ଟିଆ ସ୍ଥିତି ଅଛି । ବଲାଙ୍ଗୀରରେ  ୨୮%, କଳାହାଣ୍ଡିରେ ୩୦%, ରାୟଗଡ଼ାରେ ୩୦%, ପୁରୀରେ  ୨୮%, ଗଜପତିରେ ୨୭%, ଖୋର୍ଦ୍ଧାରେ ୨୧%, ଯାଜପୁରରେ  ୨୧% ବର୍ଷା ନିଅଣ୍ଟିଆ ଅଛି । ନବରଙ୍ଗପୁର, ଗଞ୍ଜାମ,  ସମ୍ବଲପୁର, ଭଦ୍ରକ, ଜଗତସିଂହପୁର, ନୟାଗଡ଼, ନୂଆପଡ଼ା,  ବରଗଡ଼, କଟକରେ ବର୍ଷା ପରିମାଣ ସ୍ୱାଭାବିକ ତାଲିକାଭୁକ୍ତ  ଥିଲେ ମଧ୍ୟ ଆଶାନୁଯାୟୀ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.