କର୍ଣ୍ଣାଟକର ହାସନରେ ବଢୁଛି ହାର୍ଟ ଆଟାକରେ ମୃତ୍ୟୁ ସଂଖ୍ୟା, କୋଭିଡ୍ ଭ୍ୟାକ୍ସନ ସହ ରହିଛି କି ଲିଙ୍କ୍ ? ICMR କହିଲା ସତ

Published By : Prameya-News7 Bureau | July 02, 2025 IST

ନୂଆଦିଲ୍ଲୀ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଗୋଟିଏ ମାସ ଭିତରେ ୨୦ରୁ ଅଧିକ ଲୋକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଏଥିରୁ ଅଧିଂକାଶ ଯୁବ ବର୍ଗର । ତେବେ ହଠାତ୍ ହୃଦଘାତ ରୋଗୀଙ୍କ ସଂଖ୍ୟା କାହିଁଛି ବଢିଲା, ତାର କାରଣ ପ୍ରଶାସନ ଜାଣିପାରୁ ନାହିଁ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାର୍ଟ ଆଟାକ୍ ଓ କୋଭିଡ୍ ଭ୍ୟାକ୍ସନର ଥିଓରୀ ଦେଇ ନୂଆ ବିବାଦ ସୃଷ୍ଟି କରିଛନ୍ତି । ସେ କୋଭିଡ୍ ଭ୍ୟାକ୍ସନ ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କଣ ଭ୍ୟାକ୍ସନ ଓ ହାର୍ଟ ଆଟାକ୍ ମଧ୍ୟରେ କୌଣସି ସମ୍ପର୍କ ଅଛି ? ଏହା ଉପରେ ଆଇସିଏମଆର ନିଜ ରିପୋର୍ଟ ଉପସ୍ଥାପନ କରିଛି ।

ICMR ଓ ଏମ୍ସ ସମେତ ଅନେକ ମେଡିକାଲ୍ ସଂସ୍ଥା ଭ୍ୟାକ୍ସନ ପରେ ହୋଇଥିବା ହୃଦଘାତ ଓ କାର୍ଡିୟକ ଆରେଷ୍ଟ ବଢୁଥିବା ମାମଲାର ଅଧ୍ୟୟନ କରିଛନ୍ତି । ଆଇସିଏମଆର ରିସର୍ଚ୍ଚରେ କୁହାଯାଇଛି ଯେ କୋଭିଡ୍ ଭ୍ୟାକ୍ସନ ପରେ ହାର୍ଟ ଆଟାକ୍ ହେବାର କୌଣସି ସମ୍ପର୍କ ମିଳିନି । ଆଇସିଏମ୍‌ଆର କହିଛି ଯେ ଭ୍ୟାକ୍ସନ ସୁରକ୍ଷିତ ଓ ଏହାର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

ଆଇସିଏମ୍‌ଆର ଓ ଏନ୍‌ସିଡିସି ହୃଦଘାତରେ ହଠାତ୍ ହେଉଥିବା ମୃତ୍ୟୁ କାରଣ ଜାଣିବା ପାଇଁ ମିଳିତ ଭାବେ କାମ କରୁଛନ୍ତି । ଏଥିରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଅଧ୍ୟୟନ ସାମନାକୁ ଆସିସାରିଛି । ୨୦୨୩ ମେ'ରେ ଆସିଥିବା ପ୍ରଥମ ଅଧ୍ୟକ୍ଷନରେ କୁହାଯାଇଥିଲା ଯେ କରୋନା ଭ୍ୟାକ୍ସନ ମୃତ୍ୟୁର ବିପଦକୁ ବଢାଉ ନାହିଁ । ଏବେ ଦ୍ୱିତୀୟ ଅଧ୍ୟୟନରେ ଆଇସିଏମ୍‌ଆର କହିଛି ଯେ କୋଭିଡ୍ ଭ୍ୟାକ୍ସନର ହାର୍ଟ ରୋଗ ସହ କୌଣସି ସମ୍ପର୍କ ନାହିଁ । ହୃଦ ରୋଗ ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ଏହା ପଛର କାରଣ ହୋଇପାରେ ।

ବିଶେଷଜ୍ଞଙ୍କ ମତରେ କରୋନା ଭାଇରସରେ ଅଧିକାଂଶ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଭାଇରସ କାରଣରୁ ଲୋକଙ୍କୁ Silent Myocarditis ହେଉଛି । ଏହି କାରଣରୁ ହୃତପିଣ୍ଡର ମାଂସପେସୀ ଫୁଲିଥାଏ, ଯାହା ସମୟ ସହ ଗୁରୁତର ହୋଇଥାଏ । ଭାଇରସ୍ ଯୋଗୁଁ କିଛି ଲୋକଙ୍କ ହୃତପିଣ୍ଡରେ କ୍ଲଟ୍ ହେଉଛି । ଯେଉଁଥି ପାଇଁ ହାର୍ଟ ଆଟାକ୍ କିମ୍ୱା ଷ୍ଟ୍ରୋକ୍ ହୋଇପାରେ । ଏହା ବ୍ୟତୀତ ହୃଦଘାତ ମାମଲାର ବଢିବାର ଅନ୍ୟ କାରଣ ହୋଇପାରେ । ଏଥିରେ ମାନସିକ ଚିନ୍ତା, ଅନିଦ୍ରା ଓ ଜଙ୍କ୍ ଫୁଡ୍‌ର ମାତ୍ରା ବଢିବା ରହିପାରେ । ଧୂମ୍ରପାନ ବି ବିପଦର ଏକ ବଡ଼ କାରଣ ହୋଇପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.