ନୂଆଦିଲ୍ଲୀ ୦୧/୧୨: କରୋନା ଭ୍ୟାକସିନ୍କୁ ସମସ୍ତେ ଅପେକ୍ଷା କରିଛନ୍ତି। ବିଶେଷ କରି ଏକ ଭ୍ୟାକସିନ୍ ପ୍ରସ୍ତୁତ ପାଇଁ ୮-୧୦ ବର୍ଷ ଲାଗେ। କିନ୍ତୁ କରୋନା ମହାମାରୀ ଯେଉଁ ଭଳି ଭାବେ ଆତଙ୍କ ଖେଳାଇଛି ଏହାକୁ ଦେଖି ଅନେକ ଦେଶ କମ୍ ସମୟରେ ଭ୍ୟାକସିନ୍ ପ୍ରସ୍ତୁତରେ ଲାଗିଛନ୍ତି। ଭାରତ ଏହି ସବୁ ଦେଶ ଉପରେ ଭ୍ୟାକସିନ୍ କ୍ରୟ ପାଇଁ ନିର୍ଭର ମଧ୍ୟ କରିଛି। ଏପରିକି ଭାରତରେ ବହୁ ଭ୍ୟାକସିନ୍ ଟ୍ରାଏଲ ଓ ପ୍ରସ୍ତୁତି ମଧ୍ୟ ଚାଲିଛି। ତେଣୁ କରୋନା ପ୍ରଭାବକୁ ନଜରରେ ରଖି ଭାରତ କେବଳ ୧୬ରୁ ୧୮ ମାସ ଭିତରେ ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା ନେଇ ସ୍ବାସ୍ଥ୍ୟ ସଚିବ ରାଜଶେ ଭୂଷଣ କହିଛନ୍ତି।
ଭ୍ୟାକସିନ୍ ପ୍ରସ୍ତୁତ ପାଇଁ ୮ରୁ ୧୦ ବର୍ଷ ଲାଗେ। ସବୁଠୁ ଶୀଘ୍ର ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ୍ ପ୍ରସ୍ତୁତ ପାଇଁ ମଧ୍ୟ ଅତି କମରେ ୪ ବର୍ଷ ଲାଗିଥାଏ। କିନ୍ତୁ କରୋନା ମହାମାରୀର ପ୍ରକୋପକୁ ଦେଖି ଆମେ ଯେତେଶୀଘ୍ର ସମ୍ଭବ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୂ। କରୋନା ଭ୍ୟାକ୍ସିନ୍ କେବଳ ୧୬ରୁ ୧୮ ମାସ ମଧ୍ୟ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ ବୋଲି ଭୂଷଣ କହିଛନ୍ତି।
ଏବେ ଭାରତର ବିଭିନ୍ନ ରାଜ୍ୟରେ କରୋନା ମାମଲା ବୃଦ୍ଧି ହେଉଛି। ପଞ୍ଜାବ, ହରିୟାଣା ଓ ରାଜସ୍ଥାନରେ ପୁଣି କରୋନା ମାମଲା ବୃଦ୍ଧି ପାଇଛି। କରୋନା ମାମଲା ବୃଦ୍ଧିକୁ ନଜରରେ ରଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଭିଡ଼ ସ୍ଥାନକୁ ଯିବାକୁ ଲୋକମାନଙ୍କୁ ବାରଣ କରିଥିବା ବେଳେ ସାମାଜିକ ଦୂରତା ଓ ହାତ ବାରମ୍ବାର ଧୋଇବା ଉପରେ ଜୋର ଦେଇଛି।
ନଭେମ୍ବରରେ ସୁସ୍ଥ ହାରରେ ବୃଦ୍ଧି ଘଟିଛି। ସୁସ୍ଥ ହେଉଥିବା ସଂଖ୍ୟା ସଂକ୍ରମଣ ସଂଖ୍ୟାଠୁ ଅଧିକ ବୋଲି ରାଜେଶ ଭୂଷଣ କହିଛନ୍ତି। ଏବେ ସୁଦ୍ଧା ଭାରତରେ ୧୪ କୋଟି କରୋନା ଟେଷ୍ଟ ହୋଇଛି। ୧୧ ନଭେମ୍ବରରେ ସଂକ୍ରମଣ ହାର ୭.୧୫ ପ୍ରତିଶତ ରହିଥିବା ବେଳେ ୧ ଡିସେମ୍ବରରେ ୬.୬୯ ପ୍ରତିଶତ ହୋଇଛି ବୋଲି ରାଜେଶ ଭୂଷଣ କହିଛନ୍ତି।