ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଲିଡ୍ସର ହେଡିଂଲି କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତୀୟ ଦଳ ପ୍ରଥମ ଇନିଂସରେ ଓପନର ଯଶସ୍ୱୀ ଜୟସ୍ୱାଲଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା । ଯଶସ୍ୱୀ ଜୟସ୍ୱାଲ ଦଳର ଆଶା ପୂରଣ କରି ଇଂଲଣ୍ଡରେ ବିପକ୍ଷରେ ଶତକ ହାଲସ କରିଛନ୍ତି ।
ଜୟସ୍ୱାଲ ୧୪୪ ବଲ୍ରେ ୧୬ ଚୌକା ଏବଂ ଗୋଟିଏ ଛକା ସହାୟତାରେ ତାଙ୍କର ଶତକ ପୂରଣ କରିଥିଲେ । ଏହା ଯଶସ୍ୱୀଙ୍କ ଟେଷ୍ଟ କ୍ୟାରିୟରର ୫ମ ଶତକ । ଭାରତର ପ୍ରଥମ ଇନିଂସର ୪୯ତମ ଓଭରରେ ବ୍ରାଇଡନ୍ କାର୍ସେଙ୍କ ଚତୁର୍ଥ ଏବଂ ପଞ୍ଚମ ବଲ୍ରେ ଚୌକା ମାରିଥିଲେ ଯଶସ୍ୱୀ। ଶେଷ ବଲ୍ରେ ଏକ ରନ୍ ନେଇ ଶତକ ପୂରଣ କରିଥିଲେ । ତେବେ ଆଜିର ଇନିଂସ ବେଳେ ଜୟସ୍ୱାଲଙ୍କୁ କ୍ରାମ୍ପ ଆସିଥିଲା । ଦୌଡ଼ିବାରେ ତାଙ୍କୁ ଅସୁବିଧା ହେଉଥିଲା । ତଥାପି ସେ ହାର ମାନିନଥିଲେ । ଶତକ ପୂରଣ କରିବା ପରେ ୧୦୧ ରନର ବ୍ୟକ୍ତିଗତ ସ୍କୋରରେ ଷ୍ଟୋକ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଜୟସ୍ୱାଲଙ୍କ ଇଂଲଣ୍ଡ ବିପକ୍ଷରେ ଏହା ଷଷ୍ଠ ମ୍ୟାଚ୍ । ଦଳ ବିପକ୍ଷରେ ପ୍ରତ୍ୟେକ ଟେଷ୍ଟରେ ୫୦+ ରନ୍ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କର ତୃତୀୟ ଶତକ ଓ ଇଂଲଣ୍ଡରେ ପ୍ରଥମ ଶତକ । କେବଳ ଏତିକି ନୁହେଁ, ଲିଡ୍ସରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର ବି ହୋଇଛନ୍ତି । ଏହାସହ ଇଂଲଣ୍ଡରେ ପ୍ରଥମ ଟେଷ୍ଟ ଇନିଂସରେ ଶତକ ମାରିବାରେ ପଞ୍ଚମ ଭାରତୀୟ ଓପନର ହୋଇଛନ୍ତି । ଜୟସ୍ୱାଲଙ୍କ ପୂର୍ବରୁ ମୁରଲି ବିଜୟ, ବିଜୟ ମାଞ୍ଜେରକର, ସୌରଭ ଗାଙ୍ଗୁଲି ଓ ସନ୍ଦୀପ ପାଟିଲ ଏପରି କରିଥିଲେ । ଯଶସ୍ୱୀ ଜୟସ୍ୱାଲଙ୍କ ଟେଷ୍ଟ କ୍ୟାରିୟରର ଏହା କେବଳ ୨୦ତମ ମ୍ୟାଚ୍ ଏବଂ ସେ ଏପର୍ଯ୍ୟନ୍ତ ୫ଟି ଶତକ ହାସଲ କରିସାରିଛନ୍ତି । ଏଥିରୁ ସେ ଭାରତ ବାହାରେ ୩ଟି ଶତକ ହାସଲ କରିଛନ୍ତି ।