କ୍ୟାପ୍ଟେନ୍ସି ଡେବ୍ୟୁରେ ଶୁଭମନ ଗିଲ୍‌ଙ୍କ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ଦେଖାଇଲେ ନିଜ କ୍ଲାସ୍

Published By : Prameya-News7 Bureau | June 20, 2025 IST

ନୂଆଦିଲ୍ଲୀ: କ୍ୟାପ୍ଟେନ ଭାବେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଗିଲ୍‌ଙ୍କ ବ୍ୟାଟ୍‌ରୁ ବାହାରିଛି ଐତିହାସିକ ଶତକ । ଇଂଲଣ୍ଡ ବିପକ୍ଷରେ ଲିଡ୍ସରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶତକ ମାରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଲିଡ୍ସ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍‌ର ଦମଦାର ବ୍ୟାଟିଂ କରିଥିଲେ । ପ୍ରଥମେ ଜୟସ୍ୱାଲ ଶତକ ହାସଲ କରି ଆଉଟ୍ ହୋଇଥିଲେ । ଏହାପରେ ଶୁଭମନ ଗିଲ୍ କ୍ୟାପ୍ଟେନ ଇନିଂସ ଖେଳି ୧୪୦ ବଲରେ ନିଜର ଶତକ ପୂରଣ କରିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ଏହା ଶୁଭମନ୍ ଗିଲ୍‌ଙ୍କ ଷଷ୍ଠ ଶତକ ।

ହେଡିଂଲିରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ସମସ୍ତଙ୍କ ନଜର ଗିଲ୍‌ଙ୍କ ଉପରେ ଥିଲା । ଟେଷ୍ଟ ଅଧିନାୟକ ଭାବରେ ତାଙ୍କର ଯାତ୍ରା ଏହି ଟେଷ୍ଟ ସିରିଜରୁ ଆରମ୍ଭ ହୋଇଛି । ଏହା ପୂର୍ବରୁ, ଇଂଲଣ୍ଡ ସମେତ ଏସିଆ ବାହାରରେ ତାଙ୍କର ଟେଷ୍ଟ ରେକର୍ଡ ବହୁତ ଖରାପ ଥିଲା । ଏହି କାରଣରୁ ଗିଲ୍ କ୍ୟାପ୍ଟେନ୍ସ ଚାପକୁ କିପରି ସମ୍ଭାଳୁଛନ୍ତି ତାହା ସମସ୍ତେ ଦେଖିବାକୁ ଚାହୁଁଥିଲେ । ମାତ୍ର ୨୫ ବର୍ଷ ବୟସରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ଗିଲ୍ ପ୍ରଥମ ଦିନରେ ହିଁ ଏହାର ଉତ୍ତର ଦେଇଛନ୍ତି ।

ପ୍ରଥମ ଦିନର ଦ୍ୱିତୀୟ ସେସନ୍ ଆରମ୍ଭରେ ଗିଲ୍ ବ୍ୟାଟିଂ କରିବାକୁ ଆସିଥିଲେ । ଏହା ଅଧିନାୟକ ଭାବରେ ତାଙ୍କର ପ୍ରଥମ ଇନିଂସ ହେବା ସହ ପ୍ରଥମ ଥର ପାଇଁ ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଏପରି ସ୍ଥିତିରେ ଗିଲଙ୍କ ପାଇଁ ଏହା ଏକ ପରୀକ୍ଷା ଥିଲା । ଦିନର ଶେଷ ସେସନ୍ ଶେଷ ହେବା ପୂର୍ବରୁ ଗିଲ୍ ଶତକ ମାରି କୀର୍ତ୍ତମାନ ସ୍ଥାପନ କରିଛନ୍ତି । ୭୫ତମ ଓଭରରେ ଜୋଶ୍ ଟଙ୍ଗଙ୍କୁ ଚୌକା ମାରି କ୍ୟାରିଅରର ଷଷ୍ଠ ଶତକ କରିଥିଲେ ଗିଲ୍ ।

ଗିଲ୍‌ଙ୍କ ଏହି ଶତକ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । ଆଜି ଏହି ରେକର୍ଡ କରିବା ସହ ସମାଲୋଚକଙ୍କୁ ମଧ୍ୟ କଡ଼ା ଜବାବ ଦେଇଛନ୍ତି । ଆଜିର ଏହି ଇନିଂସ ପୂର୍ବରୁ ଗିଲ୍ ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଏସିଆ ବାହାରେ କୌଣସି ଟେଷ୍ଟ ମ୍ୟାଚ୍‌ରେ ଅର୍ଦ୍ଧଶତକ ମଧ୍ୟ ମାରି ନଥିଲେ । ସେ ଗତ ୧୮ ଇନିଂସରେ ବିଫଳ ହୋଇଥିଲେ । କିନ୍ତୁ ଆଜିର ଇନିଂସରେ ସେ ପ୍ରଥମ ଅର୍ଦ୍ଧଶତକ ମାରିଲେ ଓ ପରେ ଏହାକୁ ଶତକରେ ପରିଣତ କରିଥିଲେ । ବିଦେଶ ମାଟିରେ ଏହା ତାଙ୍କର ଦ୍ୱିତୀୟ ଶତକ । 

ଯଦି ଆମେ ରେକର୍ଡ ଉପରେ ନଜର ପକାଇବା, ତେବେ କ୍ୟାପ୍ଟେନ୍ସ ଡେବ୍ୟୁରେ ଶତକ ମାରିବାରେ ସବୁଠୁ ଯୁବ ଭାରତୀୟ ହୋଇଛନ୍ତି । ମାତ୍ର ୨୫ ବର୍ଷ ୨୮୫ ଦିନ ବୟସରେ ଏହି ସଫଳତା ପାଇଛନ୍ତି । ବିରାଟ କୋହଲି (୨୬ ବର୍ଷ ୩୪ ଦିନ)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କ ପୂର୍ବରୁ ବିଜୟ ହଜାରେ (୧୯୫୧), ସୁନୀଲ ଗାଭାସ୍କର (୧୯୭୬) ଏବଂ କୋହଲି (୨୦୧୪) ମଧ୍ୟ ଏହି ସଫଳତା ପାଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.