ନୂଆଦିଲ୍ଲୀ: ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିବା ହମାସ ମୁଖ୍ୟ ୟାହ୍ୟା ସିନୱାର ମୃତ୍ୟୁ ହୋଇଛି। ଇସ୍ରାଏଲ ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏହି ସୂଚନା ଦେଇଛନ୍ତି। ଡିଏନଏ ଟେଷ୍ଟିଂର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଜଣାପଡ଼ିଛି।
କାଟ୍ଜ କହିଛନ୍ତି “ ଗଣହତ୍ୟାକାରୀ ତଥା ଅକ୍ଟୋବର ୭ ଗଣହତ୍ୟା ଓ ଅତ୍ୟାଚାର ପାଇଁ ଦାୟୀ ୟାହ୍ୟ ସିନୱାରର ଆଇଡିଏଫ ସେନା ଆକ୍ରମଣରେ ମୃତ୍ୟୁ ହୋଇଛି।”
ଏହା ପୂର୍ବରୁ ସିନୱାରର ମୃତ୍ୟୁ ନେଇ ଖବର ସାମ୍ନାକୁ ଆସିଥିଲା। ତେବେ ଇସ୍ରାଏଲ ଆଶଙ୍କା ପ୍ରକାଶ କରିଥିବା ବେଳେ ସ୍ପଷ୍ଟ କରି ନଥିଲା। ଏବେ ଡିଏନ୍ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।
ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ସିନୱାର ହମାସ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆତଙ୍କବାଦୀମାନେ ଇସ୍ରାଏଲର ସୀମା ଭାଙ୍ଗି ପଶିବା ଓ ଆକାଶ ମାର୍ଗରେ ପାରାଚୁଟ୍ରେ ଓହ୍ଲାଇ ଇସ୍ରାଏଲ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ଏଥିରେ ୧୨୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହାପର ଠାରୁ ଇସ୍ରାଏଲ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି। ସେବେଠାରୁ ୬୩ ବର୍ଷୀୟ ସିନୱାର ଇସ୍ରାଏଲ୍ର ଟାର୍ଗେଟ୍ରେ ଥିଲା।
ପାଲେଷ୍ଟାଇନ୍କୁ ପୂର୍ଣ୍ଣ ଦେଶ କରିବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ବୋଲି ସିନୱାର ଭାବୁଥିଲା। ସେ ଦୋହା ସ୍ଥିତ ହମସା ନେତା ଇସ୍ମାଇଲ ହାନିଆ ବିରୋଧରେ ମଧ୍ୟ ଥିଲେ। ହାନିଆଙ୍କୁ ସେ ହୋଟେଲ ବୟ ବୋଲି କହୁଥିଲେ। ଜବାବରେ କତାର ନେତା ସିନୱାରଙ୍କୁ ମହାପାପୀ ବୋଲି କହୁଥିଲେ। ଗାଜାରେ କିଛି ଅସନ୍ତୋଷ ସତ୍ତ୍ୱେ ବି ହାମାସ ଉପରେ ସିନୱାରଙ୍କ ଦୃଢ଼ ପ୍ରଭାବ ରହିଥିଲା।
ସିନୱାର ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲା। ହମାସ ସଂସ୍ଥାପକ ଶେଖ ଅହମଦ ୟାସିନ ତାକୁ ସଂଗଠନରେ ସାମିଲ୍ କରାଇଥିଲା। ହମାସର ଆଭ୍ୟନ୍ତରୀଣ ସୁରକ୍ଷା ଶାଖା ଅଲ ମାଜ୍ଦର ମୁଖ୍ୟ ଭାବେ ସେ ନିୟୋଜିତ ହୋଇଥିଲା।
ଯେଉଁମାନେ ଇସଲାମିକ ନୀତି ନିୟମ ଉଲ୍ଲଂଘନ କରୁଥିଲେ କିମ୍ବା ଇସ୍ରାଏଲ୍ ସେନାକୁ ସହଯୋଗ କରୁଥିବାର ଧରାପଡ଼ୁଥିଲେ ନୈତିକତା ତାଙ୍କୁ ଦଣ୍ଡ ଦେଉଥିଲେ। ଇସ୍ରାଏଲକୁ ସହଯୋଗ କରିବା ଅଭିଯୋଗରେ ୪ ପାଲେଷ୍ଟାଇନ ନାଗରିକଙ୍କ ହତ୍ୟା କରିଥିବାରୁ ୧୯୮୮ ସିନୱାରକୁ ଜେଲ୍ ଦଣ୍ଡ ହୋଇଥିଲା। ଇସ୍ରାଏଲ ଜେଲ୍ରେ ସେ ଦୀର୍ଘ ୨୦ ବର୍ଷ ହେଲା ସଜା କାଟିଥିଲା। ଜେଲ୍ରେ ଥାଇ ସେ ହିବ୍ରୁ ଶିଖିଥିଲା। ଏହାପରେ ୨୦୧୧ରେ କଏଦୀ ଏକ୍ସଚେଞ୍ଜ୍ରେ ଇସ୍ରାଏଲ ତାକୁ ଗାଜାକୁ ଫେରାଇଥିଲା। ସିନୱାର ସବୁବେଳେ ଯୁଦ୍ଧକୁ ଅଧିକ ଗୁରୁତ୍ୱ ଦେଉଥିଲା।