ବଢ଼ୁଛି ଇସ୍ତଫା ହାର: ଅସନ୍ତୋଷରେ ଚାକିରି ଛାଡ଼ୁଛନ୍ତି କର୍ମଚାରୀ, କାମ ଅଧିକକୁ କମ୍ ଦରମା ମୁଖ୍ୟ କାରଣ

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ: ଭାରତର ବଡ଼ ବଡ଼ କମ୍ପାନୀ ବର୍ତ୍ତମାନ ମୁନଲାଇଟିଂ ସମସ୍ୟାରେ ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି। ଏନେଇ କମ୍ପାନୀଗୁଡ଼ିକ ବାରମ୍ବାର କର୍ମଚାରୀମାନଙ୍କୁ ଚେତାବନୀ ମଧ୍ୟ ଦେଉଛନ୍ତି। ତେବେ ଏହାରି ଭିତରେ କମ୍ପାନୀଗୁଡ଼ିକ ପାଇଁ ଆଉ ଏକ ବଡ଼ ସମସ୍ୟା ହେଲା ' The Great Resignation'। ବହୁ ସଂଖ୍ୟାର କମ୍ପାନୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଉଛନ୍ତି।

ବର୍ଷ ୨୦୨୨ ପ୍ରଥମ ଷଡ଼ମାସିକରେ ଭାରତରେ ଆଟ୍ରିସନ ହାର (ଇସ୍ତଫା) ୨୦.୩ ପ୍ରତିଶତ ହୋଇଯାଇଛି। ଯାହା ୨୦୨୦ର ମାତ୍ର ୬ ପ୍ରତିଶତ ଥିଲା। ଗ୍ଲୋବାଲ ପ୍ରଫେଶନାଲ ସର୍ଭିସ୍ କମ୍ପାନୀ ଏଓଏନ୍‌ ପିଏଲ୍‌ସୀର ଏକ ସର୍ଭେର ଏହି ତଥ୍ୟ ସାମ୍ନାକୁ ଆସିଛି।  


ରିପୋର୍ଟ ଅନୁସାରେ, ଦୁଇ ବର୍ଷର କରୋନା ମହାମାରୀ ପରେ ଚାକିରି ଛାଡ଼ ସମସ୍ୟା ଅଧିକ ଦେଖାଦେଇଛି। ଚାକିରି ଛାଡ଼ିବା ହାରକୁ ଦେଖି 'ଗ୍ରେଟ୍ ରେଜିଗ୍‌ନେସନ'ର ଆଲୋଚନା ଜୋର ଧରିଛି। ବିଶ୍ୱର ଅନେକ ଶିଳ୍ପ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗ୍ରେଟ୍ ରେଜିଗ୍‌ନେସ ଗତ ଏକ ବର୍ଷରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। କାରଣ ମହାମାରୀ ପରେ ବିଶ୍ୱସ୍ତରରେ ଚାକିରି ବିକଳ୍ପ ଅଧିକ ବାହାରିଛି। ଗତ ୧୮ ମାସରେ ଆଇଟି କମ୍ପାନୀଗୁଡ଼ିକ ଆଟ୍ରିସନ୍‌ର ସବୁଠାରୁ ଖରାପ ସମୟ ଦେଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବାରମ୍ବାର ଇସ୍ତଫା ପରେ ଦରମାରେ ମଧ୍ୟ ବୃଦ୍ଧି ହୋଇଛି। ଭାରତରେ କମ୍ପାନୀଗୁଡ଼ିକ ଦରମାରେ ୨୦୨୨ରେ ୧୦.୬ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ ୨୦୨୩ରେ ଦରମା ବୃଦ୍ଧି ପରିମାଣ ହ୍ରାସ ହୋଇ ୧୦.୪ ପ୍ରତିଶତ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

୨୦୨୨ରେ ଭାରତରେ ସବୁ ଉଦ୍ୟୋଗରେ ଚାକିରି ଛାଡ଼ିବା ହାର ୨୦୨୧ ତୁଳନାରେ ସାମାନ୍ୟ କମ୍‌ ରହିଛି।  ଏହି ସମସ୍ୟା ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ସର୍ଭେରେ ଜଣାପଡ଼ିଛି। ତେବେ କମ ଦରମା ସାଙ୍ଗକୁ କମ୍ପାନୀ ଅଧିକ ଚାପ ଆଟ୍ରିସନ ପ୍ରତିଶତ ବଢ଼ାଇଛି।

ଆଟ୍ରିସନ ରେଟ୍ କଣ ? ଲୋକମାନଙ୍କର କମ୍ପାନୀରୁ ଇସ୍ତଫା ଦେବାକୁ ଆଟ୍ରିସନ ରେଟ୍ କୁହାଯାଏ। ଏଥିରେ କେତେ ଲୋକ ସ୍ୱ ଇଚ୍ଛାରେ ଓ ଅନିଚ୍ଛାରେ ଚାକିରି ଛାଡ଼ୁଛନ୍ତି ତାହାର ଗଣନା କରାଯାଏ। ତା ସହ କମ୍ପାନୀର କାର୍ଯ୍ୟଭାର କେମିତି ରହିଛି ତାହା ବି ଏଥିରେ ଆକଳନ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.