ପ୍ଲେଷ୍ଟୋରରେ ପୁଣି ରିଷ୍ଟୋର ହେଲା ଭାରତୀୟ App, ଅଶ୍ୱିନୀ ବୈଷ୍ଣବଙ୍କ ପଦକ୍ଷେପ ପରେ ପଛକୁ ହଟିଲା Google

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ ୩।୩: ବିଲ ପୈଠ ବିବାଦକୁ ନେଇ ଗୁଗଲ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟକୁ ଦେଖି ଭାରତୀୟ କମ୍ପାନୀଙ୍କ ଆପ୍‌ ପ୍ଲେଷ୍ଟୋରରୁ ହଟାଇବାର ନିଷ୍ପତ୍ତି ପ୍ରତ୍ୟାହାର କରିଛି। ଏଥିରେ ଗୁଗଲ ଶନିବାର ହଟାଇଥିବା ସବୁ ଆପକୁ ପୁଣି ପ୍ଲେଷ୍ଟୋରରେ ରିଷ୍ଟୋର କରିଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପଦକ୍ଷେପ ପରେ ଗୁଗଲ ପଛକୁ ହଟିଛି। ବୈଷ୍ଣବ ସ୍ପଷ୍ଟ ଭାବେ କହିଛନ୍ତି ଯେ ଗୁଗଲଙ୍କ ଏପରି ମନଭାବ ଗ୍ରହଣୀୟ ନୁହେଁ।

ବୈଷ୍ଣବ କହିଛନ୍ତି ଯେ କୌଣସି ବଡ଼ କମ୍ପାନୀ ଭାରତୀୟ ଷ୍ଟାର୍ଟଅପଙ୍କ ଭାଗ୍ୟକୁ ନିୟନ୍ତ୍ରିତ କରିପାରିବେ ନାହିଁ। ବିବାଦର ତୁରନ୍ତ ସମାଧାନ ନିମନ୍ତେ ପ୍ରଭାବିତ କମ୍ପାନୀ ଓ ଗୁଗଲଙ୍କୁ ଆଗାମୀ ସପ୍ତାହରେ ବୈଠକ ପାଇଁ ଡାକିଛନ୍ତି। ବୈଷ୍ଣବ କହିଛନ୍ତି ଯେ ଭାରତ ଗତ ୧୦ ବର୍ଷରେ ୧ ଲକ୍ଷରୁ ଅଧିକ ଷ୍ଟାର୍ଟଅପ ଓ ୧୦୦ରୁ ଅଧିକ ୟୁନିକର୍ଣ୍ଣଙ୍କ ମଜଭୁତ ଇକୋସିଷ୍ଟମ ନିର୍ମାଣ କରିଛି। ଏଣୁ ଏ ଗୁଡିକୁ ବଡ଼ ପ୍ରଯୁକ୍ତି କମ୍ପାନୀଙ୍କ ନୀତି ଉପରେ ଛାଡି ଦିଆଯାଇ ନପାରେ। ପ୍ରସଙ୍ଗରେ ଭାରତ ସରକାରଙ୍କ ନୀତି ଅତ୍ୟନ୍ତ ସ୍ପଷ୍ଟ ଆମର ଷ୍ଟାର୍ଟଅପକୁ ସେହି ସୁରକ୍ଷା ମିଳିବ ଯାହା ସେମାନଙ୍କୁ ଆବଶ୍ୟକ ବୋଲି ବୈଷ୍ଣବ କହିଛନ୍ତି।

{"id":916635,"width":841,"height":473,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଗୁଗଲ ଶୁକ୍ରବାର ବିଲ୍ ବିବାଦକୁ ନେଇ ଭାରତୀୟ ଟେକ୍ କମ୍ପାନୀ ଇନଫୋ ଏଜର ‘ନୌକରୀ ଡଟକମ’, ୯୯ଏକର, ଜୀବନ ସାଥୀ ଓ ଶିକ୍ଷା ଆପ ସମେତ କୁକୁ ଏଫଏମ, ଭାରତ ମ୍ୟାଟ୍ରିମୋନି, ଟ୍ରୁଲିମେଡଲି, କ୍ୱେକ୍-କ୍ୱେକ୍‌, ଷ୍ଟେଜ ଓ ଅଲ୍ଟଟିକୁ ହଟାଇ ଦେଇଥିଲା। ଇନଫୋ ଏଜର ଫାଉଣ୍ଡର ସଞ୍ଜୀବ ବିଖଚନ୍ଦାନୀ କହିଛନ୍ତି ଯେ ତାଙ୍କ ଆପ୍ ଫେବୃଆରୀ ୯ ତାରିଖରୁ ଗୁଗଲଙ୍କ ବିଲିଂ ନୀତିର ପାଳନ କରୁଛି। ଏହା ସତ୍ତ୍ୱେ ଗୁଗଲ ପ୍ଲେ ଷ୍ଟୋରରୁ ତାଙ୍କ ଆପ ହଟାଇ ଦେଇଥିଲେ।

ଭାରତୀୟ କମ୍ପାନୀ ଓ ଗୁଗଲ ମଧ୍ୟରେ ଆପ ବିବାଦ ଶୁଳ୍କକୁ ନେଇ ବିବାଦର ସୂତ୍ରପାତ ହୋଇଛି। କମ୍ପିଟେସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ଗୁଗଲଙ୍କୁ ୧୫ରୁ ୩୦ ପ୍ରତିଶତର ପୁରୁଣା ଶୁଳ୍କ ବ୍ୟବସ୍ଥାକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ଗୁଗଲ ଆପ ପୈଠ ଉପରେ ୧୧ରୁ ୨୬ ପ୍ରତିଶତ ଶୁଲ୍କ ଲଗାଇବା ଆରମ୍ଭ କରିଛି। ଭାରତୀୟ କମ୍ପାନୀମାନେ ଗୁଗଲ ବିରୋଧରେ ସୁପ୍ରିମକୋର୍ଟରେ ମୋକଦ୍ଦମା ମଧ୍ୟ କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୯ ତାରିଖରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.