ଗୋଆରେ ବିଜେପିକୁ ଝଟ୍‌କା, ନିର୍ବାଚନ ପୂର୍ବରୁ ଟିଏମସି ସହ ମେଣ୍ଟ କଲା ଏମ୍‌ଜିପି

Published By : Prameya-News7 Bureau | December 06, 2021 IST

ପାନାଜୀ ୦୬/୧୨: ବିଧାନସଭା ନିର୍ବାଚନ ପୂର୍ବରୁ ଗୋଆରେ ମମତା ବାନାର୍ଜୀଙ୍କ ଦଳ ଟିଏମସି  ସଦୃଢ଼ ହେଉଛି। ବିଜେପିର ପୂର୍ବତନ ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି (ଏମଜିପି) ଟିଏମସି ସହ ହାତ ମିଳାଇଛି। ଟିଏମସି ସହ ମେଣ୍ଟ ନେଇ ଏମଜିପି ସଭାପତି ଦୀପକ ଧାବଲିକର ସୋମବାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ୨୦୧୭ ବିଧାନସଭା ନିର୍ବାଚନରେ ୪୦ ଆସନରୁ ୩ଟି ଆସନରେ ବିଜୟୀ ହୋଇଥିଲା ଏମଜିପି। ପରେ ବିଜେପିକୁ ସମର୍ଥନ ଦେଇଥିଲା । ଏହା ପରେ ୨୦୧୯ରେ ଏମଜିପିର ଦୁଇ ଜଣ ବିଧାୟକ ବିଜେପିରେ ସାମିଲ ହୋଇଥିଲେ। ଏବେ ଦଳ ପାଖରେ ଜଣେ ବିଧାୟକ ଅଛନ୍ତି ।

ତେବେ ଏମଜିପି ୧୨ଟି ସିଟରେ ଲଢ଼ିବା ସର୍ତ୍ତରେ ମେଣ୍ଟ କରିଥିବା ନେଇ ଟିଏମସିର ଜଣେ ବରିଷ୍ଠ ନେତା ‘ଦି କ୍ବିଣ୍ଟ’କୁ ସୂଚନା ଦେଇଛନ୍ତି। ଟିଏମସି ସହ ମେଣ୍ଟ କରିବା ପୂର୍ବରୁ ଦଳ କଂଗ୍ରେସ ଏବଂ ଆପ୍‌ ସହ ଆଲୋଚନା କରିଥିବା ନେଇ ମଧ୍ୟ ଧାବଲିକର କହିଛନ୍ତି। ଟିଏମସି ସହ ହାତ ମିଶାଇବା ପରେ ଧାବଲିକର କହିଛନ୍ତି, ଦୁଇ ଦଳ ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ମେଣ୍ଟ କରିଛନ୍ତି । ବିଜେପି ବିରୋଧୀ ହ୍ବାଓ୍ବା ଚାଲିଛି। ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଆମେ ରାଜ୍ୟରେ ସରକାର ଗଢ଼ିବାକୁ ସକ୍ଷମ।

ଏହା ସହ ୬୦ ପ୍ରତିଶତ ଲୋକ କେଉଁ ଦଳକୁ ଭୋଟ ଦେବେ ଏବେ ଯାଏଁ ସ୍ଥିର କରିନାହାନ୍ତି। ସେମାନଙ୍କ ପାଇଁ ଏହି ମେଣ୍ଟ ଏକ ବିକଳ୍ପ ହୋଇପାରିବ। ଏମଜିପି ଏକାକୀ ନିର୍ବାଚନ ଲଢ଼ିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦେଖି ମେଣ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପାର୍ଟି ଅଧ୍ୟକ୍ଷ ଦୀପକ ଧାବଲିକର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.