ନୂଆଦିଲ୍ଲୀ: ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜ ଦିନିକିଆ ଚୀନ ଗସ୍ତ ପହଞ୍ଚିଛନ୍ତି । ଗତ ତିନି ବର୍ଷରେ ବିଶ୍ୱର ସାତ ପ୍ରମୁଖ ବିକଶିତ ରାଷ୍ଟ୍ର ସମୁହ ଜି-୭ର କୌଣସି ନେତାଙ୍କ ଏହା ପ୍ରଥମ ଚୀନ ଯାତ୍ରା । ତାଙ୍କର ଏହି ଯାତ୍ରକୁ ନେଇ ଜର୍ମାନୀରେ ଏବେ ବିବାଦ ଆରମ୍ଭ ହୋଇଛି । ବିରୋଧୀ ଦଳ ଓଲାଫଙ୍କ ଏହି ଯାତ୍ରାକୁ ବିରୋଧ କରୁଛନ୍ତି ।
ସିଏନଏନର ରିପୋର୍ଟ ଅନୁସାରେ ଯାତ୍ରା ସମୟରେ ଓଲାଫ ସ୍କୋଲଜ ବେଜିଂରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କ ସହ ସାକ୍ଷାତ କରିବେ । ସାରା ଦୁନିଆରେ ସେମିକଣ୍ଡକ୍ଟର ଅଭାବ ଏବଂ ସେମିକଣ୍ଡକ୍ଟରର ଉତ୍ପାଦନକୁ ଆମେରିକାର ନୂଆ ନୀତି ମଧ୍ୟରେ ଓଲାଫଙ୍କ ଯାତ୍ରା ବଡ଼ ବିବାଦ ସୃଷ୍ଟି କରିପାରେ । ଉଲ୍ଲେଖଯୋଗ୍ୟ ସେମିକଣ୍ଡକ୍ଟର ରପ୍ତାନୀକୁ ନେଇ ଚୀନ ଉପରେ ଆମେରିକାର କଟକଣା ଯୋଗୁଁ ଉଦ୍ୟୋଗ ଜଗତ ସଂକଟରେ ରହିଛି।
ଆମେରିକାର କଟକଣା ଯୋଗୁଁ ଆମେରିକା ଏବଂ ଏହାର ସହଯୋଗୀ ଦେଶର କମ୍ପାନି ଗୁଡିକ କ୍ଷତି ସହୁଛନ୍ତି । ଚୀନର ପ୍ରଯୁକ୍ତି ଏବଂ ସୈନ୍ୟ ମହତ୍ୱକାଂକ୍ଷାକୁ ରୋକିବା ଉଦ୍ଦେଶ୍ୟରେ ଆମେରିକା ଏହି ପଦକ୍ଷେପ ନେଇଛି । ଇଲେକ୍ଟ୍ରୋନିକ୍ସ, ଅଟୋ ମୋବାଇଲ ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ନିର୍ମାଣରେ ସେମିକଣ୍ଡକ୍ଟର ପ୍ରୟୋଗ କରାଯାଇଥାଏ ।
ଜଣେ ଅଧିକାରୀଙ୍କ ଅନୁସାରେ ଶୋଲଜଙ୍କ ସହ ଜର୍ମାନୀର ୧୨ ଜଣ ବିଶିଷ୍ଟ ବ୍ୟବସାୟୀ ଯାତ୍ରା କରିଛନ୍ତି । ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ଦେଶର ଶୀର୍ଷ ଅଧିକାରୀଙ୍କ ଏକ ଟିମ ଚୀନ ଯାତ୍ରାରେ ସାମିଲ ଅଛନ୍ତି । ଦୁନିଆର ଦ୍ୱିତୀୟ ବୃହତ ଅର୍ଥବ୍ୟବସ୍ଥା ଥିବା ଚୀନ ସହ ତାଙ୍କ ଦେଶର ବ୍ୟବସାୟକୁ ଜାରି ରଖିବା ପାଇଁ ଓଲାଫ ଏହି ଯାତ୍ରା କରୁଥିବା ଦାବି କରାଯାଉଛି । ୟୁରୋପର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଥିବା ଦେଶ ଜର୍ମାନୀର ଆର୍ଥିକ ହିତ ଏବେ ବି ବେଜିଂ ସହ ଜଡିତ ରହିଛି ।