ଏହି ଦିଗ୍ଗଜ୍ କମ୍ପାନୀ କଲା ଛଟେଇ, ୫୦୦ କର୍ମଚାରୀ ପ୍ରଭାବିତ…
2/03/2023 at 9:05 AM

ନୂଆଦିଲ୍ଲୀ ୦୨।୦୩: ଥମିବାର ନାଁ ନେଉନି ଛଟେଇ ପର୍ବ । ଗୋଟିଏ ପରେ ଗୋଟିଏ କମ୍ପାନୀ କରୁଛନ୍ତି ଛଟେଇ । ଏବେ ଏହି ଲିଷ୍ଟରେ ସାମିଲ ହୋଇଛି ଦିଗ୍ଗଜ ଅଟୋମେକର୍ କମ୍ପାନୀ ଜେନେରାଲ୍ ମୋଟର୍ସ । କମ୍ପାନୀ ଏହାର ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁଯାୟୀ, ଖର୍ଚ୍ଚ କମ୍ କରିବା ନେଇ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଯାହା ଦ୍ବାରା ଅଧିକ ସଞ୍ଚୟ କରିପାରିବ କମ୍ପାନୀ ।
ତେବେ ବିଦା ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଏନେଇ ମଙ୍ଗଳବାର ସୂଚନା ଦେଇଥିଲା କମ୍ପାନୀ । ଏହି ପଦକ୍ଷେପ ପରେ ଅତିକମରେ ୫୦୦ କର୍ମଚାରୀ ନିଜର ଚାକିରୀ ହରାଇଛନ୍ତି । ଆସନ୍ତା ଦୁଇ ବର୍ଷରେ ଅତି କମରେ ୨ ବିଲିୟନ ଡଲାର ସଞ୍ଚୟ କରିବା ନେଇ କମ୍ପାନୀ ଆଶା ରଖିଛି । ଅନ୍ୟପଟେ କହିବାକୁ ଗଲେ କର୍ମଚାରୀଙ୍କ ପାଇଁ ଏହା କୌଣସି ଝଟକାଠାରୁ କମ ନୁହେଁ । କାରଣ କିଛି ଦିନ ପୂର୍ବରୁ କୌଣସି ଛଟେଇ ହେବାର ଯୋଜନା ନଥିବା କହିଥିଲେ କମ୍ପାନୀର ସିଇଓ । ଏହାପରେ ତତ୍କାଳ ହିଁ ଛଟେଇ କରିଛି ।
ତେବେ ଜେନେରାଲ ମୋଟର୍ସ ପୂର୍ବରୁ ବଡ କାର ନିର୍ମାତା ଫୋର୍ଡ ମଧ୍ୟ ଛଟେଇ ଘୋଷଣା କରିଥିଲେ । ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ସହ ଜଡିତ ୩୮୦୦ ଲୋକଙ୍କୁ ଛଟେଇ କରିବ ବୋଲି କମ୍ପାନୀ କହିଛି । ଏଥିସହିତ ବ୍ରିଟେନ, ଜର୍ମାନୀ ଭଳି ଦେଶରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଛଟେଇ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି । ଏହି ପ୍ରକ୍ରିୟାରେ ପ୍ରାୟ ୨୩୦୦ ଲୋକଙ୍କୁ ଏହି ପୁନଃ ନିର୍ମାଣରେ, ବ୍ରିଟେନରେ ୧୩୦୦ ଏବଂ ୟୁରୋପରେ ପ୍ରାୟ ୨୦୦ ଲୋକଙ୍କୁ ଛଟେଇ କରାଯିବ।