ଜିତିବୁ, ହାରିବୁ କିନ୍ତୁ…ଓଭାଲ ଟେଷ୍ଟ ଜିତିବା ପରେ କୋଚ୍ ଗୌତମ ଗମ୍ଭୀରଙ୍କ ରଣହୁଙ୍କାର

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ ୦୫/୦୮: ବିଦେଶରେ ଉଡିଛି ଭାରତର ବାନା । ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ । ଦମ୍ ଦେଖାଇଛନ୍ତି ଟିମ୍ ଇଣ୍ଡିଆର କ୍ରିକେଟର । ତେବେ ଏହି ବିଜୟ ପରେ ଖୁସି ଜାହିର କରିଛନ୍ତି ଗୌତମ ଗମ୍ଭୀର । ଭାରତର ଓଭାଲ ଟେଷ୍ଟରେ ବିଜୟ ଏବଂ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ବରାବର କରିବା ପାଇଁ ବେଶ୍ ଖୁସି କୋଚ୍ । 

ଟିମ ଇଣ୍ଡିଆର ମୁଖ୍ୟ କୋଚ କହିଛନ୍ତି ଯେ ଆମେ କେବେ ହାର ମାନିବୁ ନାହିଁ। ଭାରତୀୟ ଦଳ ପଞ୍ଚମ ଓ ଅନ୍ତିମ ଟେଷ୍ଟ ମ୍ୟାଚର ଶେଷ ଦିନରେ ଇଂଲଣ୍ଡକୁ ୩୫ ରନ କରିବାକୁ ଦେଇନଥିଲେ। ମହମ୍ମଦ ସିରାଜଙ୍କ ଚମତ୍କାର ବୋଲିଂ ବଳରେ ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଥିଲା ଭାରତ । ଏହା ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ ରେ ବରାବର କରିଥିଲା।

ଓଭାଲରେ ଭାରତର ବିଜୟ ପରେ ଗମ୍ଭୀରଙ୍କ ଖୁସିର ସୀମା ନଥିଲା। ସେ ମୌଦାନକୁ ଆସି ଅଧିନାୟକ ଶୁଭମନ ଗିଲଙ୍କୁ ଆଲିଙ୍ଗନ କରି ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ଗୌତମ ଗମ୍ଭୀର ଓଭାଲ ଟେଷ୍ଟ ବିଜୟ ପରେ ସୋସିଆଲ ମିଡିଆ ଏକ୍ସରେ ଭାରତୀୟ ଦଳର ଉତ୍ସବ ମନାଉଥିବା ୪ଟି ଫଟୋ ସେୟାର କରି ଲେଖିଥିଲେ, ‘ଆମେ କେବେ ଜିତିବୁ, କେବେ ହାରିବୁ…କିନ୍ତୁ ଆମେ କେବେ ହାର ମାନିବୁ ନାହିଁ । କାରଣ ଆମ ଖେଳାଳି ଫାଇଟର । ସାବାଶ ପିଲାମାନେ!’

ଗମ୍ଭୀରଙ୍କ ଏହି ଶବ୍ଦଗୁଡ଼ିକ ଭାରତୀୟ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ଟେଷ୍ଟ ଡ୍ର ହୋଇଥିଲା। ଇଂଲଣ୍ଡକୁ ଶେଷ ଦିନରେ ମାତ୍ର ୩୫ ରନ ଆବଶ୍ୟକ ଥିଲା । ଭାରତକୁ ୪ଟି ଉଇକେଟ ନେବାକୁ ଥିଲା। ଅନେକଙ୍କୁ ବିଶ୍ୱାସ ନଥିଲା ଯେ ଭାରତୀୟ ଦଳ ଏହି ସ୍ଥିତିରେ ମ୍ୟାଚ ଜିତିପାରିବ, କିନ୍ତୁ ମହମ୍ମଦ ସିରାଜ କିଛି ଅଲଗା ଚିନ୍ତା କରି ଆସିଥିଲେ ଏବଂ ସେ ତାହା କରି ଦେଖାଇଥିଲେ ଯାହା କ୍ରିକେଟ ପ୍ରେମୀମାନେ ବର୍ଷ ବର୍ଷ ଧରି ମନେ ରଖିବେ।




ଓଭାଲରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୨୨୪ ରନ୍‌ କରିଥିଲା । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୭ ରନ୍‌ କରିଥିଲା । ଯାହାଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୨୩ ରନ୍‌ରେ ଆଗୁଆ ରହିଥିଲା । ଦ୍ୱିତୀୟ ପାଳିରେ ଭାରତ ଦମଦାର ବ୍ୟାଟିଂ କରି ୩୯୬ ରନ୍‌ କରି ଇଂଲଣ୍ଡକୁ ୩୭୪ ରନ୍‌ର ଟାର୍ଗେଟ ଦେଇଥିଲା । କିନ୍ତୁ ଭାରତୀୟ ପେସ୍‌ ଆଟାକ୍‌ ସାମ୍ନାରେ ଇଂଲିସ୍‌ ଦଳ ୩୬୭ ରନ୍‌ କରି ଆଲଆଉଟ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍‌କୁ ୬ ରନ୍‌ରେ ନିଜ ନାମରେ କରିଥିଲା ।

ତେବେ ଓଭାଲ ଗ୍ରାଉଣ୍ଡରେ ଏହା ହେଉଛି ଭାରତର ତୃତୀୟ ବିଜୟ । ଅଜିତ ୱାଦେକର ଓ ବିରାଟ କୋହଲିଙ୍କ ପରେ ଶୁବମନ ଗିଲ୍‌ ହେଉଛନ୍ତି ତୃତୀୟ ଅଧିନାୟକ, ଯାହାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଓଭାଲରେ ଏକ ଟେଷ୍ଟ ମ୍ୟାଚ୍‌ ଜିତିଛି । ଏଥିସହ, ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ଭାରତର ସବୁଠୁ କମ୍‌ ରନ୍‌ ବ୍ୟବଧାନରେ ବିଜୟ । ପୂର୍ବରୁ ଭାରତର ସବୁଠାରୁ କମ୍‌ ବିଜୟ ବ୍ୟବଧାନ ଥିଲା ୧୩ ରନ୍‌ । ଯାହା ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.