ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା
25/03/2023 at 10:32 PM

ବରଗଡ଼ ୨୫/୦୩: ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି। ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ପର୍ଯ୍ୟାପ୍ତ ପରିମାଣର ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ଉପଲବ୍ଧ ରହିଛି।

ଏହି ପର୍ବତରେ ୧୦୫୫ ପ୍ରଜାତିର ବୃକ୍ଷଲତା ରହିଛି। ସେଥିମଧ୍ୟରୁ ୮୪୯ ପ୍ରକାର ଫୁଲ, ବୁଦା, ଗୁଳ୍ମ, ଲତା ଜାତୀୟ ଉଦ୍ଭିଦ ସମେତ ପ୍ରାୟ ୩୦୦ପ୍ରକାର ଔଷଧୀୟ ଗଛ ରହିଛି। ୫୦୦ ପ୍ରକାର ପ୍ରାଣୀଙ୍କ ମଧ୍ୟରେ ୪୩ ପ୍ରକାରର ସ୍ତନ୍ୟପାୟୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାରର ପ୍ରଜାପତି, ୮୩ ପ୍ରକାର ବୁଢ଼ିଆଣୀ ଓ ୧୮ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ଅଛନ୍ତି। ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗନ୍ଧମାର୍ଦ୍ଦନ ବି ବେଶ ଗୁରୁତ୍ଵ ବହନ କରେ। ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ମଧ୍ୟ ରହିଛି।

ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସୁଥିବାରୁ କିଛି ମାସ ତଳେ ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଗନ୍ଧମାର୍ଦ୍ଧନକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେବାପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏବେ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାକୁ ନେଇ ବରଗଡ଼ ଜିଲ୍ଲା ବାସୀ ଉତ୍ସାହିତ ଅଛନ୍ତି। ଏହା ସହିତ ଏଥିପାଇଁ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।