ପୁରୀ ୨୨।୦୨ : ଆସନ୍ତା ୨୪ ତାରିଖ ଶନିବାର ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚର୍ତୁଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ଼ ଉପରେ ବସିବା ଭଙ୍ଗୀରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥିବେ। ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥିବେ । କୁମ୍ଭୀର ହାତୀକୁ ଆକ୍ରମଣ କରିଥିବ। ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ଥିବେ। ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିଜେ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ଧରି ଦଣ୍ଡାୟମାନ ଥିବେ । ବଡ଼ ମନଲୋଭା ଶ୍ରୀବିଗ୍ରହଙ୍କ ଏହି ବେଶ ।
ଏଣୁ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍ରେ ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ଚୂଳ, କିରୀଟ, କୁଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର, ହତା, ବାଜୁବନ୍ଧ, ହାତଫେର, ଆୟୁଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ବାଙ୍କି, ପାହୁଡ଼, ଗୋଡଖଡ଼ୁ, ହାତମାଳ, ନାକଚଣା, ପଦ୍ମକଢ଼ି ଆଦି ଅଳଙ୍କାର ସବୁ ଠାକୁର ଲାଗି ହେବେ । ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ୫ ଜଣ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ଠାକୁରଙ୍କ ଶ୍ରୀହସ୍ତ ପଦ ବେଶଭୂଷା ଓ ଅଳଙ୍କାର ଆଦି ଶେଷ ହେବା ଉପରେ ।
ଦୟଣା ମାଳି ସେବାୟତ ଶ୍ରୀ ରଣାଙ୍କ ସମେତ ସତ୍ୟନାରାୟଣ ବେହେରା, ସନ୍ତୋଷ ମିଶ୍ର, ଗୋପାଳ ମହାପାତ୍ର, ରଘୁନାଥ ବେହେରା, ଚିତ୍ରକର ସେବକ ଦେବରାଜ ମହାରଣା ଓ ଋତୁରାଜ ମହାରଣା ଓ ଦର୍ଜୀ ଲୋକନାଥ ମହାପାତ୍ର ପ୍ରମୁଖ ବେଶ ପ୍ରସ୍ତୁତିରେ ଲାଗିଛନ୍ତି । ପୂର୍ଣ୍ଣମୀରେ ପ୍ରସ୍ତୁତକାରୀ ବେଶ ନେଇ ପୁଷ୍ପାଳକ ସେବକଙ୍କ ଜିମା ଦେବେ । ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ବେଶରେ ଥାଇ ଠାକୁରଙ୍କୁ ସନ୍ଧ୍ୟାଧୂପରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ଭିତରଛ, ତଳିଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକଙ୍କ ସହଯୋଗରେ ବେଶ ସମ୍ପନ୍ନ ହେବ । ମହାପ୍ରଭୁଙ୍କୁ ଗଜୋଦ୍ଧାରଣ ବେଶରେ ଦେଖି ଭକ୍ତମାନେ ଧନ୍ୟ ହେବେ ।
ପୁରାଣ ଯୁଗର କଥା ଅନୁସାରେ, ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା । କ୍ଷତବିକ୍ଷତ ଅବସ୍ଥାରେ ଗଜରାଜ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଠାକୁରେ ଭକ୍ତର ଡାକଶୁଣି କୁମ୍ଭୀର କବଳରୁ ଗଜରାଜକୁ ଉଦ୍ଧାର କରିଥିଲେ । ଏହି କଥାବସ୍ତୁ ଆଧାରରେ ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଏହି ବେଶ ଅନୁଷ୍ଠିତ ହୋଇଆସୁଛି । ପୂର୍ବରୁ ମହାରାଣୀ ଓ ପରେ ଜଜମାନମାନେ ଠାକୁରଙ୍କ ଏହି ବେଶର ଦାୟିତ୍ୱ ନେଉଥିଲେ । ୧୯୭୯ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ତତ୍ୱାବଧାନରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେଉଛି ।
wp:embed {"url":"https://www.prameyanews7.com/actor-vikrant-massey-apologise-after-6-year/","type":"wp-embed","providerNameSlug":"prameya-news-7"} /wp:embed