ମଦ ନିଶା ନେଇଗଲା ଜୀବନ, ସାଙ୍ଗର ଟାଙ୍ଗିଆ ଚୋଟରେ ସାଙ୍ଗ ମୃତ

Published By : Prameya-News7 Bureau | September 08, 2022 IST

ଦେବଗଡ଼,୦୮/୦୯: ସାଙ୍ଗ ସାଜିଲା ବଇରୀ । ଟାଙ୍ଗିଆରେ ହାଣି ମାରିଦେଲା ସାଙ୍ଗକୁ । ମଦ ନିଶାରେ ଟାଙ୍ଗିଆରେ ହାଣି ସାଙ୍ଗକୁ ହତ୍ୟା କରିଥିବା ଜଣାପଡ଼ିଛି । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗୋହିଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ଗୋହିଡା ଗ୍ରାମର ବାଙ୍ଗରୁ ନାଏକଙ୍କ ୨୧ ବର୍ଷୀୟ ପୁଅ ରଞ୍ଜିତ ନାଏକ । ଅଭିଯୁକ୍ତ ସାଙ୍ଗ ପ୍ରଭାତ କୁମୁରାକୁ ପୋଲିସ ଅଟକ ରଖିଛି ।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମୃତ ରଞ୍ଜିତ ଓ ତାଙ୍କ ସାଙ୍ଗ ପ୍ରଭାତ ଏକାଠି ମଦ ପିଇବା ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଦୁଇଜଣଙ୍କ ପାଟିତୁଣ୍ଡ ଶୁଣି ଅଭିଯୁକ୍ତ ପ୍ରଭାତଙ୍କ ବାପା ଅରକ୍ଷିତ କୁମୁରା ମିମାଂସା କରିବାକୁ ଆସିଥିବା ବେଳେ ସଞ୍ଜୟ ତାଙ୍କ ବେକକୁ ଧରି ମୋଡି ଦେଇଥିଲେ। ଏଥିରେ ଅପମାନ ବୋଧ କରି ଅଭିଯୁକ୍ତ ପ୍ରଭାତ ଘରକୁ ଯାଇ ଏକ ଟାଙ୍ଗିଆ ଆଣି ସଞ୍ଜୟଙ୍କୁ ହାଣି ହତ୍ୟା କରିଥିଲା । ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ କୁଣ୍ଢେଇଗୋଳା ଥାନା ପୋଲିସକୁ ଖବର ଦେଇଥିଲେ ।

ଖବରପାଇ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦହ ଜବତ କରିବା ପରେ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିବା ସହ ହତ୍ୟାକାଣ୍ଡ ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.