‘ଜଙ୍ଗଲର ଆଦିବାସୀ’ କହି ବିବାଦରେ ବାଗେଶ୍ବର ବାବା, ପୂର୍ବତନ ବିଧାୟକ ଦାବି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 18, 2023 IST

ନୂଆଦିଲ୍ଲୀ, ୧୮/୦୫: ବାଗେଶ୍ବର ଧାମ ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନକୁ​ ନେଇ ବିବାଦ ଥମିବାର ନାଁ ନେଉନାହିଁ। ପାଟନାରେ ତାଙ୍କର ପ୍ରବଚନକୁ ନେଇ ବିବାଦ ଥମିନଥିବାବେଳେ ଏବେ ତାଙ୍କୁ ନେଇ ନୂଆ ବିବାଦ ମଧ୍ୟ ପ୍ରଦେଶର ବାଲାଘାଟରୁ ସାମ୍ନାକୁ ଆସିଛି।

ଏଠାରେ ମେ ୨୩ରେ ତାଙ୍କର ବନବାସୀ ରାମକଥା କାର୍ଯ୍ୟକ୍ରମ ରହିଛି। ଏହାର ଆୟୋଜନକୁ ନେଇ ଦେଇଥିବା ବୟାନରେ ସେ ଆଦିବାସୀଙ୍କ ପାଇଁ ଅପମାନଜନକ ଟିପ୍ପଣୀକରିଥିବା ଅଭିଯୋଗ ହୋଇଛି। ସେ ସେମାନଙ୍କୁ ଜଙ୍ଗଲର ଆଦିବାସୀ କହିଛନ୍ତି ବୋଲି କୁହଯାଉଛି। ଏହାଯୋଗୁଁ ଆଦିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଉ ଏହାକୁ ନେଇ ପୋଲିସରେ ଅଭିଯୋଗ କରାଯାଇଛି। ବାଲାଘାଟର ପୂର୍ବତନ ବିଧାୟକ ଦରବୁ ସିଂହ ପୋଲିସ ଏଫଆଇଆର ରୁଜୁ କରିବା ପାଇଁ ଦାବି କରିଛନ୍ତି।

ଏହି ବୟାନ ବିରୋଧରେ ଆଦିବାସୀ ସମାଜର ଲୋକେ ପୂର୍ବତନ ବିଧାୟକ ଦରବୁ ସିଂହଙ୍କ ନେତୃତ୍ବରେ ଥାନା ଘେରାଉ କରିଥିଲେ ଏବଂ ପୋଲିସ୍‌କୁ ଅଭିଯୋଗ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବାଲାଘାଟ ପରସଓ୍ବାଡ଼ା ଥାନାରେ ଦିଆଯାଇଥିବା ଅଭିଯୋଗରେ ଆଦିବାସୀ ଅଭିଯୋଗ କରିଛନ୍ତି ଯେ, ବାଗେଶ୍ବର ମହାରାଜ କେବଳ ପ୍ରଚାର ପାଇଁ ବିବାଦୀୟ ବୟାନ ଦିଅନ୍ତି ଏବଂ ବିବାଦ ବଢ଼ିଲେ କ୍ଷମା ମାଗିନିଅନ୍ତି।

ପ୍ରକୃତରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି କହିବାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବାଲାଘାଟ ଯାଇ ସେଠାରେ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ମଧ୍ୟରେ ପ୍ରବଚନ କରିବେ ବୋଲି କହୁଛନ୍ତି। ଯାହାକୁ ନେଇ ଏହି ବିବାଦ ହୋଇଛି। ଏଭଳି ଶବ୍ଦ ଆଦିବାସୀ ସମାଜକୁ କଷ୍ଟ ପହଞ୍ଚାଇଛି। ଏହା ଅପମାନ ବୋଲି କହିଛନ୍ତି ବିଧାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.