ଭାରତ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଚୀନ୍ ସହିତ ଭାରତର ସମ୍ପର୍କ ବହୁତ ସମ୍ବେଦନଶୀଳ ଓ ବିପଦଜନକ
18/03/2023 at 5:38 PM

ନୂଆଦିଲ୍ଲୀ ୧୮।୩: ଭାରତ ଓ ଚୀନ୍ ମଧ୍ୟରେ ଜାରି ସୀମା ବିବାଦରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ବଡ଼ ବୟାନ ଦେଇଛନ୍ତି। ସେ ଲଦ୍ଦାଖର ପଶ୍ଚିମ ହିମାଳୟ କ୍ଷେତ୍ରରେ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିତି ସମ୍ବେଦନଶୀଳ ଓ ବିପଦଜନକ ବୋଲି କହିଛନ୍ତି। ଲଦ୍ଦାଖର କିଛି ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ବଳ ପରସ୍ପରର ବହୁତ ନିକଟରେ ଥିବା ଏସ. ଜୟଶଙ୍କର କହିଛନ୍ତି। ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୨୦୨୦ ଜୁନରେ ହୋଇଥିବା ଉଭୟ ପକ୍ଷର ସଂଘର୍ଷରେ ଆମର ୨୦ ଜଣ ସୈନିକ ସହିଦ ହୋଇଥିଲେ। ତେବେ ପରେ କୁଟନୈତିକ ଆଲୋଚନା ମାଧ୍ୟମରେ ପରିସ୍ଥିତିକୁ ସ୍ୱଭାବିକ କରାଯାଇଥିଲା।
ସେହିପରି ଗତ ଡିସେମ୍ବରରେ ଦୁଇ ଦେଶଙ୍କ ମଧ୍ୟରେ ଅଚିହ୍ନିତ ସୀମାକୁ ନେଇ ପୂର୍ବାଞ୍ଚଳରେ ହିଂସା ହୋଇଥିଲା। ତେବେ ଏଥିରେ ଉଭୟପକ୍ଷର କେହି ମୃତାହତ ହୋଇ ନାହାନ୍ତି। ତେବେ ଜୟଶଙ୍କର କହିଛନ୍ତି ଯେ ମୋ ମତରେ ସେଠାରେ ପରିସ୍ଥିତି ଏବେବି ସମ୍ବେଦନଶୀଳ ଅଛି। କାରଣ ଏହା ଏପରି ସ୍ଥାନ ଯେଉଁଠି ଆମର ମୁତୟନ ବହୁତ ନିକଟରେ ହୋଇଥିବା ବେଳେ ସୈନ୍ୟ ଆକଳନ ମଧ୍ୟ ବିପଦଜନକ। ଜୟ ଶଙ୍କର କହିଛନ୍ତି ଯେ ଉଭୟ ପକ୍ଷର ସେନା ଅନେକ ଅଞ୍ଚଳରେ ଦୂରେଇ ଯାଇଛନ୍ତି ଓ ଅସମାହିତ ବିନ୍ଦୁ ଉପରେ ଆଲୋଚନା ଜାରି ରହିଛି।
ସେ କହିଛନ୍ତି ଯେ ଆମେ ଚୀନ୍ ପକ୍ଷକୁ ସ୍ପଷ୍ଟ ରୂପେ କହିଛୁ ଆମେ ଶାନ୍ତି ଭଙ୍ଗ କରିପାରିବୁନି ସେହିପରି ତୁମେ ବୁଝାମଣା ଉଲ୍ଲଂଘନ କରିପାରିବନି। ଜୟଶଙ୍କର କହିଛନ୍ତି ଯେ ଚଳିତମାସରେ ଅନୁଷ୍ଠିତ ଜି-୨୦ ଦେଶଙ୍କ ବୈଦେଶିକ ମନ୍ତ୍ରୀ ବୈଠକରେ ନୂଆ ବିଦେଶମନ୍ତ୍ରୀ କିନ ଗ୍ୟାଙ୍ଗଙ୍କ ସହିତ ସ୍ଥିତି ନେଇ ଚର୍ଚ୍ଚା ହୋଇଥିଲା। ଜୟଶଙ୍କର କହିଛନ୍ତି ଯେ ଜି-୨୦କୁ କେବଳ କେବଳ ବୈଶ୍ୱିକ ଜବାବର କ୍ଲବ ଅଥବା ତର୍କର କ୍ଷେତ୍ର କରାଯିବା ଉଚିତ ନୁହେଁ। ବୈଶ୍ୱିକ ଚିନ୍ତାର ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆମେ ପୂର୍ବରୁ ଏହି ବିନ୍ଦୁ ଉପରେ ମଜଭୁତ ଭାବେ ଆମର ଉପସ୍ଥାପିତ କରିଛୁ ବୋଲି ସେ କହିଛନ୍ତି।