IND vs ENG TEST: ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ; ସୁଦର୍ଶନଙ୍କ ଡେବ୍ୟୁ, ଫେରିଲେ କରୁଣ

Published By : Prameya-News7 Bureau | June 20, 2025 IST

social media

ନୂଆଦିଲ୍ଲୀ: ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ଟ୍ରଫି ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାରଠାରୁ ଲିଡ୍ସରେ ଆରମ୍ଭ ହେବ । ଆୟୋଜକ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଯୁବ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବ । ଆଇପିଏଲ୍‌ରେ ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିବା ସାଇ ସୁଦର୍ଶନ ଟେଷ୍ଟ ଡେବ୍ୟୁ କରିବେ । ୨୩ ବର୍ଷୀୟ ସାଇ ସୁଦର୍ଶନ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାରେ ୩୧୭ତମ ଖେଳାଳି । ସୁଦର୍ଶନଙ୍କୁ ଚେତେଶ୍ୱର ପୂଜାରା ଟେଷ୍ଟ କ୍ୟାପ୍ ଦେଇଥିଲେ ।

ଏହି ମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ ଅନୁଭବୀ ବ୍ୟାଟର କରୁଣ ନାୟର ଓ ଶାର୍ଦୁଲ ଠାରୁଙ୍କୁ ସ୍ଥାନ ମିଳିଛି । କରୁଣ ନାୟର ୮ ବର୍ଷରୁ ଅଧିକ ସମୟ ପରେ ଭାରତ ପାଇଁ ଖେଳିବାକୁ ଓହ୍ଲାଇବେ । କରୁଣ ନିଜର ଶେଷ ଟେଷ୍ଟ ୨୦୧୭ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ତା’ ପରଠୁ ତାଙ୍କୁ କୌଣସି ସୁଯୋଗ ମିଳିନଥିଲା । କରୁଣ ନାୟର ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ମାୋହାଲି ଟେଷ୍ଟରେ ଟ୍ରିପଲ ସେଞ୍ଚୁରି ମାରିଥିଲେ । ତେବେ ତା' ପରଠୁ ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର କମ ସୁଯୋଗ ମିଳିଥିଲା । ଅନ୍ୟପଟେ ଶାର୍ଦୁଲ ଠାକୁର ମଧ୍ୟ ଅନେକ ମାସ ପରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିଛନ୍ତି । ଏହା ପୂର୍ବରୁ ୨୦୨୩ ଡିସେମ୍ୱରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶାର୍ଦୁଲ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଲିଡ୍ସ ଟେଷ୍ଟ ପାଇଁ ନୀତୀଶ ରେଡ୍ଡିଙ୍କ ପରିବର୍ତ୍ତେ ଶାର୍ଦୁଲଙ୍କୁ ସୁଯୋଗ ମିଳିଛି । 

ଶୁଭମନ ଗିଲ୍ ଟସ୍ ହରିବା ପରେ କହିଥିଲେ, 'ଆମେ ମଧ୍ୟ ପ୍ରଥମେ ବୋଲିଂ କରନ୍ତୁ । ପ୍ରଥମ ସେସନରେ ସାମାନ୍ୟ ଅସୁବିଧା ହୋଇପାରେ । କିନ୍ତୁ ପରେ ବ୍ୟାଟିଂ କରିବା ଠିକ୍ ହେବ । ସୂର୍ଯ୍ୟ ବାହାରି ସାରିଛନ୍ତି, ତେଣୁ ବ୍ୟାଟିଂ ପାଇଁ ଭଲ ପରିସ୍ଥିତି ରହିପାରେ । ଆମ ଅଭ୍ୟାସ ଭଲ ରହିଛି । ଆମ ଖେଳାଳି ଭଲ ଅନୁଭବ କରୁଛନ୍ତି । ସାଇ ସୁଦର୍ଶନ ନିଜର ଡେବ୍ୟୁ କରିବେ, କରୁଣଙ୍କ ବି ଏଣ୍ଟ୍ରି ହୋଇଛି । ସାଇ ତୃତୀୟ ନମ୍ୱରରେ ବ୍ୟାଟିଂ କରିବେ ।'

ଭାରତ ଏପର୍ଯ୍ୟନ୍ତ ଇଂଲଣ୍ଡରେ କେବଳ ତିନି ଥର ଟେଷ୍ଟ ସିରିଜ ଜିତିଛି । ୧୯୭୧ ମସିହାରେ ଅଜିତ୍ ୱାଡେକରଙ୍କ ନେତୃତ୍ୱରେ, ୧୯୮୬ରେ କପିଳ ଦେବଙ୍କ ନେତୃତ୍ୱରେ ଏବଂ ୨୦୦୭ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଏହି ସଫଳତା ହାସଲ କରିଥିଲା । ଏବେ ଶୁଭମନ ଗିଲ୍ ଏହି ତାଲିକାରେ ନିଜ ନାମ ଯୋଡ଼ିବାକୁ ଚାହଁବେ ।

ଲିଡ୍ସ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍ (ୱିକେଟକିପର), କ୍ରିସ୍ ୱକ୍ସ, ବ୍ରାଇଡନ୍ କାର୍ସେ, ଜୋଶ୍ ଟଙ୍ଗ୍, ସୋଏବ୍ ବଶିର। 

ଭାରତର ଚୂଡାନ୍ତ ଏକାଦଶ: କେଏଲ୍ ରାହୁଲ, ଯଶସ୍ୱୀ ଜୈସୱାଲ, ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ-ଅଧିନାୟକ/ୱିକେଟ୍ କିପର), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ଜସପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା । 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.