ମୁଲତାନ୍‌ରେ ଫାୟାରିଂ; ଇଂଲଣ୍ଡ ଟିମ୍ ରହିଥିବା ହୋଟେଲ୍ ନିକଟରେ ଗୁଳିକାଣ୍ଡ

Published By : Prameya-News7 Bureau | December 09, 2022 IST

ମୁଲତାନ୍: ପାକିସ୍ତାନର ମୁଲତାନରେ ଫାୟାରିଂ । ଇଂଲଣ୍ଡ କ୍ରିକେଟ୍ ଟିମ୍ ରହୁଥିବା ହୋଟେଲ୍ ନିକଟରେ ଗୁଳିମାଡ଼ ହୋଇଛି । ହୋଟେଲ୍ ଠାରୁ ଏକ କିଲୋମିଟର ଦୂରରେ ଏହି ଗୁଳିକାଣ୍ଡ ହୋଇଛି । ଘଟଣାରେ ସମ୍ପୃକ୍ତି ଥିବା ୪ଜଣଙ୍କୁ ପୋଲିସ ଗିରଫ କରିଛି ।

ଦି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଠାରୁ ମୁଲତାନରେ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ଯାଚ୍ ଆରମ୍ଭ ହୋଇଛି । ହେଲେ ଗୁରୁବାର ସକାଳୁ ଇଂଲଣ୍ଡ ରହିଥିବା ହୋଟେଲ୍ ନିକଟରେ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା । ହୋଟେଲ ଠାରୁ କିଛି ଦୂରରେ ଗୁଳିକାଣ୍ଡ ହୋଇଥିଲା । ସୁରକ୍ଷାବଳ ତୁରନ୍ତ ହୋଟେଲ୍ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା । ଖେଳାଳିଙ୍କର ଯେପରି କିଛି ସମସ୍ୟା ସୃଷ୍ଟି ନହୁଏ ସେନେଇ ସମସ୍ତ ପ୍ରୋଟକଲକୁ ଧ୍ୟାନ ଦିଆଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା । ଏଥିରେ ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢୁଥିବାରୁ ଦେଶରେ ଦ୍ବିପାକ୍ଷିକ ସିରିଜ୍ ବନ୍ଦ ଥିଲା । ଦୀର୍ଘ ବର୍ଷ ପରେ ପାକିସ୍ତାନରେ ଟେଷ୍ଟ ଶୃଙ୍ଖଳା ଖେଳା ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଶେଷ ଧ୍ୟାନ ଦେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ।

୨୦୦୯ରେ ପାକିସ୍ତାନରେ କ୍ରିକେଟରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଶ୍ରୀଲଙ୍କା ଦଳ ଦ୍ବିପାକ୍ଷିକ ସିରିଜ୍ ଖେଳୁଥିବାବେଳେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଏଥିରେ ଜୀବନ ବଞ୍ଚାଇ ଶ୍ରୀଲଙ୍କା ଫେରିଥିଲେ ଖେଳାଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.