ପାଟନା ବିମାନ ବନ୍ଦରରେ ଅଗ୍ନିକାଣ୍ଡ ,ପୁରୁଣା ଟର୍ମିନାଲ ବିଲ୍ଡିଂରେ ସ୍ପାର୍କିଂ ଯୋଗୁଁ ଦୁର୍ଘଟଣା

Published By : Prameya-News7 Bureau | July 10, 2025 IST

ପାଟନା – ବିହାରର ପାଟନା ଏୟାରପୋର୍ଟରେ ଅଗ୍ନିକାଣ୍ଡ। ଗୁରୁବାର ଏଠାରେ ନିଆଁ ଲାଗି ଯାଇଛି। ଜୟପ୍ରକାଶ ନାରାୟଣ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ପୁରୁଣା ଟର୍ମିନାଲ ବିଲ୍ଡିଂରେ ଏକ ସ୍ପାର୍କିଂ ହେବା ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଇଛି। ଏୟାରପୋର୍ଟ ପରିସରରେ ଥିବା ଅଗ୍ନିଶମ ବାହିନୀ ନିଆଁକୁ କାବୁ କରିଛି। ବିମାନ ବନ୍ଦରର ପ୍ରଶାସନ କୌଣସି ବଡ଼ କ୍ଷତି ହୋଇ ନଥିବା କହିଛି। କୁହାଯାଉଛି ଯେ, ପୁରୁଣା ଟର୍ମିନାଲ ବିଲ୍ଡିଂକୁ ଭାଙ୍ଗିବା ପୂର୍ବରୁ ଏଠାରେ ବିଲ୍ଡିଂର କାମ ଚାଲୁ ଥିଲା। ଏହି ସମୟରେ ନିଆଁ ଲାଗି ଯାଇ ଥିଲା।  

ପାଟନା ଏୟାରପୋର୍ଟରେ ଏହି ଦୁର୍ଘଟଣା ଗୁରୁବାର ଦ୍ୱିପ୍ରହରରେ ହୋଇଛି। କୁହାଯାଉଛି ଯେ, ୱେଲ୍ଡିଂ କାର୍ଯ୍ୟ ବେଳେ ସ୍ପାର୍କିଂ ହେବା ଯୋଗୁଁ ନିକଟରେ ରଖି ଥିବା ଜିନିଷରେ ନିଆଁ ଲାଗି ଯାଇ ଥିଲା। ଦେଖୁ ଦେଖୁ ନିଆଁ ବ୍ୟାପି ଯାଇ ଥିଲା। ଏହାର ସୂଚନା ତୁରନ୍ତ ପରିସରରେ ଥିବା ଅଗ୍ନିଶମ ବିଭାଗକୁ ଦିଆଯାଇଛି। 

ବିମାନ ସେବା ଉପରେ କୌଣସି ପ୍ରଭାବ ନାହିଁ -

ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ପାଟନା ବିମାନ ବନ୍ଦରରେ ହୋଇଥିବା ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛି ଯେ, ବିମାନ ସେବା ଉପରେ ଏହି ଘଟଣାର କୌଣସି ପ୍ରଭାବ ପଡ଼ି ନାହିଁ। ଏଏଆଇର ସରକାରୀ ବିବୃତ୍ତି ଅନୁସାରେ , ଏୟାରଲାଇନ୍ ଟିକେଟ୍‌ କାଉଣ୍ଟର ନିକଟରେ ପୁରୁଣା ଏସଏଚଏ ଅଞ୍ଚଳରେ ଷ୍ଟିଲ୍ କଟିଂ କାର୍ଯ୍ୟବେଳେ ଗ୍ୟାସ୍‌ କଟିଂରୁ ବାହାରୁ ଥିବା ସ୍ପାର୍କିଂରୁ ନିଆଁ ଲାଗି ଯାଇଥିଲା। ଏହି ଘଟଣା ଆକସ୍ମିକ ଥିଲା। ଜଣେ ଠିକାଦାରଙ୍କର କର୍ମଚାରୀ ଘଟଣା ସ୍ଥଳରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁକୁ ନିୟନ୍ତ୍ରଣ କରି ଥିଲେ। 

ଅଥୋରିଟି କହିଛି ଯେ, ସିଆଇଏସଏଫ୍ କର୍ମୀମାନେ ଓ ଏଟିସି ଟାୱାର ତୁରନ୍ତ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ ସୂଚିତ କରି ଥିଲେ। ବିମାନ ବନ୍ଦରର ଅଗ୍ନିଶମ ଉଦ୍ଧାରକାରୀ ଯାନ (ଏଏଫଆରଭି) ତୁରନ୍ତ ପ୍ରତିକ୍ରିୟା ଦେଇଥିଲା ଏବଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହାପରେ ପାଟନା ଏୟାରପୋର୍ଟରେ ବିମାନର ପରିଚାଳନା ସୁଚାରୁ ହୋଇଥିଲା। 

ହେଲେ , ନିଆଁ ଲାଗିବା ବେଳେ ଏୟାରପୋର୍ଟ ପରିସରରେ ଧୂଆଁର ଏକ ବଡ଼ ଆସ୍ତରଣ ଉଠିବା ନଜର ଆସିଥିଲା। କୁହାଯାଉଛି ଯେ, ପୁରୁଣା ଟର୍ମିନାଲ ବିଲ୍ଡିଂକୁ ଭାଙ୍ଗିବା କାମ ଚାଲୁ ରହିଛି। ଏଥିପାଇଁ ଏଠାରୁ ଆବଶ୍ୟକୟୀ ଜିନିଷକୁ ପୂର୍ବରୁ ହଟେଇ ନିଆଯାଇ ଥିଲା।

ପାଟନା ଏୟାରପୋର୍ଟରେ ନିକଟରେ ନୂଆ ଟର୍ମିନାଲ ବିଲ୍ଡିଂ ତିଆରି କରାଯାଇଛି। ଗତ ୩ ଜୁନରେ ଟର୍ମିନାଲକୁ ବନ୍ଦ କରି ନୂଆ ଭବନରୁ ବିମାନର ଯାତାୟାତ ଆରମ୍ଭ କରି ଦିଆଯାଇ ଥିଲା। ଏହାପରେ ପୁରୁଣା ଟର୍ମିନାଲ ଭବନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଦିଆ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାର ୨୯ମେ ୨୦୨୫ରେ ନୂଆ ଟର୍ମିନାଲ ଭବନର ଉନ୍ମୋଚନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.