ଭୁବନେଶ୍ବର ୧୩।୭: ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ ଘଟଣାରେ ସସ୍ପେଣ୍ଡ ଅଧ୍ୟକ୍ଷ ସୁରକ୍ଷା ମାଗିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଦିଲ୍ଲୀପ ଘୋଷ କହିଛନ୍ତି । ବଡ଼ ଘଟଣା ଘଟିଛି । କାହା ମନରେ କ’ଣ ଥିବ, ବିପଦ ଅଛି । ଯେହେତୁ ତଦନ୍ତ ଚାଲିଛି, ସେଥିପାଇଁ ସେ ସୁରକ୍ଷା ମାଗିଛନ୍ତି । ଶନିବାର ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍ପେଣ୍ଡ କରାଯାଇଥିଲା । ଉଭୟଙ୍କୁ ସସ୍ପେଣ୍ଡ କରିଥିଲେ ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡ଼ି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ଯାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ହୋଇଥିଲେ । ପରେ ତାଙ୍କୁ ଏଚ୍ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ ।
ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । କିଏ ଜାଣିଥିଲା ନ୍ୟାୟ ମିଳିବା ବିଳମ୍ବ ହେଲେ ସେ ଆତ୍ମହତ୍ୟା କରିବେ ବୋଲି । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଛି ।
ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବାପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ । ପରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପ୍ରିନ୍ସିପାଲଙ୍କୁ ଘେରିଥିଲେ ଛାତ୍ରଛାତ୍ରୀ । ତେବେ ଆଇନ ଶୃଙ୍ଖଳା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲେ ।
You Can Read:
ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ ଏବେ ବି ଭେଣ୍ଟିଲେଟରରେ, ପ୍ରଭାବିତ ହୋଇଛି କିଡ଼ନୀ