ତିରୁଅନନ୍ତପୁରମ ୨୦।୬: କେରଳରେ ବ୍ରିଟେନର ଏଫ୍-୩୫ ବିମାନ ଗତ ୬ ଦିନ ହେଲା ଛିଡା ହୋଇ ରହିଛି। ବ୍ରିଟେନ ସୁରକ୍ଷାଗତ କାରଣ ଦର୍ଶାଇ ଏଫ୍-୩୫ ବିମାନ ପାଇଁ ଭାରତର ହ୍ୟାଙ୍ଗର ଅଫରକୁ ଅସ୍ୱୀକାର କରି ଦେଇଛି। ଏହି ଲଢୁଆ ବିମାନ ପାଇଁ ଏୟାର ଇଣ୍ଡିଆ ତାର ହ୍ୟାଙ୍ଗର ଦେବାକୁ ରାଜି ଥିଲା। ହେଲେ ଅଫରକୁ ବ୍ରିଟେନ ଗ୍ରହଣ କରି ନାହିଁ। ଏହି ବିମାନଟି ବ୍ରିଟେନ ନେଭିର ଏଚଏମଏସ୍ ପ୍ରିନ୍ସ ଅଫ ୱେଲସ୍ ବିମାନବାହକ ପୋତର ଅଂଶବିଶେଷ।
ବିମାନଟି ଗତ ଶନିବାର କୌଣସି କାରଣରୁ ଯୁଦ୍ଧ ଜାହାଜରେ ଓହ୍ଲାଇ ପାରିନଥିଲା ଓ ଭାରତ ଆଡକୁ ଉଡିଥିଲା ଓ କେରଳର ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ବିମାନ ସହିତ ଟେକ୍ନିସିଆନ ଓ ଆବଶ୍ୟକୀୟ ଉପକରଣ ମଧ୍ୟ ଥିଲା। ଏହା ସତ୍ତ୍ୱେ ବିମାନର ବୈଷୟିକ ତ୍ରୁଟିକୁ ସୁଧାର କରାଯାଇ ପାରି ନାହିଁ। ଯାହା ଦ୍ୱାରା ବିମାନଟି ତିରୁଅନନ୍ତପୁରମ ଏୟାରପୋର୍ଟରେ ଛିଡା ହୋଇ ରହିଛି।
ସାଧାରଣତଃ ଆମେରିକା ଓ ବ୍ରିଟେନ ଭଳି ଦେଶମାନେ ସେମାନଙ୍କର ଏପରି ଗେମଚେଞ୍ଜର ବିମାନକୁ କୌଣସି ତୃତୀୟ ଦେଶରେ ଛାଡନ୍ତି ନାହିଁ। ସେମାନଙ୍କର ବଡ଼ ଡର ଯେ ଏଫ-୩୫ର ବୈଷୟିକ ଜ୍ଞାନକୌଶଳ ଚୋରି ହୋଇଯିବ। ଏହା ଛଡା ଏହି ବିମାନକୁ ନେଇ ଦାବି କରାଯାଉଛି ଯେ ଏହା କୌଣସି ରାଡାରରେ ଧରାପଡିବନି। ତେବେ ଭାରତୀୟ ବାୟୁସେନାର ଇଣ୍ଟିଗ୍ରେଟେଡ ଏୟାର କଣ୍ଟ୍ରୋଲ ଆଣ୍ଡ କମାଣ୍ଡ ସିଷ୍ଟମ (ଆଇଏସିସିଏସ) ଏହି ବିମାନକୁ ନା କେବଳ ଆକାଶରେ ଠାବ କରିଥିଲା ବରଂ ଏହା ଏଫ-୩୫ ବୋଲି ଚିହ୍ନଟ ମଧ୍ୟ କରିନେଇଥିଲା। ଏ କଥା ଜଣା ପଡିବା ପରେ ବ୍ରିଟେନ କାଫି ଡରି ଯାଇଛି। ଏଣୁ ବିମାନକୁ ଯେଉଁଠାରେ ସେହିଠାରେ ଖୋଲା ଆକାଶ ତଳେ ଛିଡା ରଖିବାକୁ କହିଥିବା ବେଳେ ନିୟମିତ ଏହା ଉପରେ କ୍ୟାମେରାରେ ନଜର ରଖିଛି, ଯେପରି ବିମାନ ସାଙ୍ଗେ କେହି ନ ଲାଗନ୍ତି।
ଭାରତ ମଧ୍ୟ ବ୍ରିଟେନ ନେଭିକୁ ଏହି ସୁବିଧା ଯୋଗାଇ ଦେଇଛି। ସୂତ୍ର ଅନୁସାରେ କେରଳରେ ଛିଡା ହୋଇଥିବା ଏଫ-୩୫ ବିମାନର ବୈଷୟିକ ତ୍ରୁଟି ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ପ୍ରଥମେ ଇନ୍ଧନ ନଥିବା କଥା କୁହାଯାଇଥିଲା, ଏଣୁ ବିମାନର ଟାଙ୍କି ଫୁଲ କରିଦିଆଯାଇଛି। ଏବେ ହାଇଡ୍ରୋଲିକ୍ ଫେଲ୍ୟୋର ଉଡି ନ ପାରିବାର କାରଣ ବୋଲି କୁହାଯାଉଛି। ତେବେ ଯେଉଁ ପର୍ଯ୍ୟନ୍ତ ବିମାନ ସମ୍ପୂର୍ଣ୍ଣ ଠିକ୍ ନ ହୋଇଛି ସେ ପର୍ଯ୍ୟନ୍ତ ଉଡାଣକୁ ସୁରକ୍ଷା ଦୃଷ୍ଟିରୁ ଉପଯୁକ୍ତ ମନେ କରାଯାଉ ନାହିଁ।
ଏହା ଏକ ସିଙ୍ଗଲ ଇଞ୍ଜିନ ଏୟାରକ୍ରାଫ୍ଟ, ଯାହା ପାଖାପାଖି ପ୍ରତି ଘଣ୍ଟ୍ ୨ହଜାର କିମି ବେଗରେ ଉଡିପାରେ। ଏହା ଛୋଟ ରନୱେର ମଧ୍ୟ ଟେକଅଫ କରିପାରେ। ଏହା ଛଡା ଏହା ହେଲିକପ୍ଟର ଭଳି ଭର୍ଟିକାଲ ଟେକଅଫ ମଧ୍ୟ କରିପାରେ। ଏହି ବିମାନ ଏକ ସଙ୍ଗରେ ଅନେକ ଲକ୍ଷ୍ୟକୁ ଟ୍ରାକ କରି ଟାର୍ଗେଟ୍ କରିପାରେ। ଏହି ବିମାନର ନିର୍ମାତା ଲକହିଡ ମାର୍ଟିନର ଦାବି ଏଫ-୩୫ର ଟକ୍କର ନେବା ଭଳି ଯୁଦ୍ଧ ବିମାନ ସାରା ବିଶ୍ୱରେ ନାହିଁ। ଏକୁ ନା ସ୍ପିଡରେ କୌଣସି ଯୁଦ୍ଧ ବିମାନ ଟକ୍କର ଦେଇ ପାରିବ ନା ରେଞ୍ଜରେ କି ୱିପନ କ୍ୟାପାବିଲିଟିରେ କେହି ଟକ୍କର ଦେଇ ପାରିବ।