ହୋଲି ପୂର୍ବରୁ ୬କୋଟି କର୍ମଚାରୀଙ୍କୁ ମୋଦି ସରକାରଙ୍କ ଝଟକା, PFରେ ସୁଧହାର ହ୍ରାସ କଲେ EPFO
5/03/2020 at 2:43 PM

ନୂଆଦିଲ୍ଲୀ ୫।୩ : ହୋଲି ପୂର୍ବରୁ କେନ୍ଦ୍ରର ମୋଦି ସରକାର ଦେଶର ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ଝଟକା ଦେଇଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଗୁରୁବାର ଇପିଏଫ ସୁଧହାର ହ୍ରାସ ଘୋଷଣା କରିଛନ୍ତି। ଗଙ୍ଗୱାରଙ୍କ ଘୋଷଣା ଅନୁସାରେ ଚଳିତବର୍ଷ ଅର୍ଥାତ ୨୦୧୯-୨୦ରେ କର୍ମଚାରୀଙ୍କୁ ଇପିଏଫରେ ୮.୫୦ ପ୍ରତିଶତ ସୁଧମିଳିବ। ଏହି ହାର ୨୦୧୮-୧୯ରେ ୮.୬୫ପ୍ରତିଶତ ଥିଲା। ତେବେ ଇପିଏଫ ସୁଧହାର ଅପରିବର୍ତ୍ତିତ ରହିବ ବୋଲି ସମସ୍ତେ ପୂର୍ବାନୁମାନ କରୁଥିବା ବେଳେ ଶ୍ରମମନ୍ତ୍ରୀଙ୍କ ଘୋଷଣା କର୍ମଚାରୀଙ୍କୁ ନିରାଶ କରିଛି।

ଇପିଏଫଓ ସୁଧହାରର ନିଷ୍ପତ୍ତି ଲାଗି ଗୁରୁବାର ଏହାର ନିୟନ୍ତ୍ରକ ସିବିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସରକାର ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଉଭୟ ରାଜସ୍ୱ ଓ ବିନିବେଶ ବାବଦ ଆୟ ଧାର୍ଯ୍ୟ ଲକ୍ଷ ପୂରଣ କରୁନି। ଏଣୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପିଏଫ ସମେତ କ୍ଷୁଦ୍ର ଜମା ଯୋଜନା ସୁଧହାର ହ୍ରାସ ଲାଗି ପ୍ରଥମରୁ ଚାପ ପକାଇ ଆସୁଛନ୍ତି। ଏଣୁ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଇପିଏଫ ସୁଧହାର ୮.୫ ପ୍ରତିଶତ ଦିଆଯିବ ବୋଲି କହିଛନ୍ତି। ଏହା ପୂର୍ବରୁ ୨୦୧୭-୧୮ ବର୍ଷରେ ଇପିଏଫ ସୁଧହାର ୮.୫୫ ପ୍ରତିଶତ ଥିଲା। ହେଲେ ୨୦୧୮-୧୯ରେ ଏଥିରେ ୧୦ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା।