ଲର୍ଡ୍ସ: କ୍ରିକେଟର ମକ୍କା ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳରେ ଉଭୟ ଇଂଲଣ୍ଡ ଓ ଭାରତ ନିଜର ସମ୍ମାନ ରଖିଛନ୍ତି। ହେଲେ ରନ ପାଇଁ ଇଂଲଣ୍ଡକୁ ସଂଘର୍ଷ କରିବାକୁ ପଡ଼ିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୫୧ ରନ କରିଛି। ଅନୁଭବୀ ଜୋ ରୁଟ୍ ୯୯ ରନ ଏବଂ ବେନ ଷ୍ଟୋକ୍ସ ୩୯ ରନ କରି ବ୍ୟାଟିଂ କରୁଛନ୍ତି। ପ୍ରଥମ ଦିନରେ ଜୋ ରୁଟ୍ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ବେଳେ ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଓପନର ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ପ୍ରଥମ ଓ୍ଵିକେଟ୍ରେ ୪୩ ରନ ଯୋଡ଼ିଥିଲେ। ୧୪ତମ ଓଭରରେ ନୀତିଶ ରେଡ୍ଡୀ ଦୁଇଟି ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଡବଲ ଝଟକା ଦେଇଥିଲେ। ଡକେଟ୍(୨୩) ଓ ଜ୍ୟାକ କ୍ରାଉଲି(୧୮) ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଓଲି ପୋପ ଓ ଜୋ ରୁଟ୍ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ୧୦୯ ରନ ଯୋଡ଼ିଥିଲେ। ୧୫୩ ରନ ସ୍କୋରରେ ଓଲି ପୋପଙ୍କୁ ଆଉଟ୍ କରିଥିଲେ ଜାଡ଼େଜା। ପୋପ ୪୪ ରନ କରି ପାଭିଲିୟନ ଫେରିଥିଲେ। ହାରି ବ୍ରୁକ(୧୧ ରନ)ଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ବୁମରା।
ଜୋ ରୁଟ୍ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବା ସହ ବେନ ଷ୍ଟୋକ୍ସଙ୍କ ସହ ପ୍ରଥମ ଦିନରେ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ରୁଟ୍ ଅର୍ଦ୍ଧଶତକ ହାସଲ କରି ଶତକର ଦ୍ଵାର ଦେଶରେ ପହଞ୍ଚିଛନ୍ତି। ରୁଟ୍ ଓ ଷ୍ଟୋକ୍ସ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ୭୯ ରନ ଯୋଡ଼ିଛନ୍ତି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୪ ଓ୍ଵିକେଟ୍ ହରାଇ ୨୫୧ ରନ କରିଛି। ରୁଟ୍ ୯ ଚୌକା ସହ ୯୯ ରନ ଓ ବେନ ଷ୍ଟୋକ୍ସ ୩୯ ରନରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ବୁମରା ଓ ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।