କଳାହାଣ୍ଡି ୦୫/୦୧: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ଜାରି ରହିଛି । ସପ୍ତାହେ ହେବ ଗୋଟିଏ ଦନ୍ତା ହାତୀ ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତ ବିଭିନ୍ନ ଗାଁ ଲୋକଙ୍କୁ ନାକେଦମ କରିଛି ।
ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବହୁ କ୍ଷୟକ୍ଷତି କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ପଞ୍ଚାୟତ ବାରବୁଲି ଗାଁରେ ପଶି ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା(ଓପିଲିପି) ପକ୍ଷରୁ ନିର୍ମାଣ କରାଯାଇଥିବା ପାଣି ଟାଙ୍କିକୁ ଭାଙ୍ଗି ଦେଇଛି । ଏହା ପରେ ଗାଁ ନିକଟସ୍ଥ ଜମିରେ ଜନ ସାହାଯ୍ୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରବେରୀ ଚାଷ ପ୍ରଣାଳୀକୁ ମଧ୍ୟ ମାଡି ଚକଟି ପାଇପ ଲାଇନ ଭାଙ୍ଗି ଦେଇଛି । ହାତୀର ଭୀଷଣ ଗର୍ଜନ ଶୁଣି ବାରବୁଲି ଗ୍ରାମର ଲୋକେ ଠେଙ୍ଗାବାଡି, ବାଜାବାଜଣା ଧରି ରାତିସାରା ଭୟଭୀତ ହୋଇ ଗାଁ ଜଗିରହିଥିବା କହିଛନ୍ତି । ଏହି ଜଙ୍ଗଲୀ ଦନ୍ତା ହାତୀଟି ୮ ଦିନ ହେଲା ଅଞ୍ଚଳରେ ତାଣ୍ଡବ ରଚି ଥିବା ବେଳେ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଫେଲ ।
ଏହା ଆଗରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଏକ ୮ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗର ଅଧୀନରେ ଥିବା ଝଜୁର ପଦର ଗାଁରେ ପଶି ଦୁଇ ଘର ଭାଙ୍ଗିବା ସହ ଘରେ ଥିବା କପା, ଧାନ, ଚାଉଳ, ଆବାସପତ୍ର ନଷ୍ଟ କରିବା ପରେ ଗତ ଡିସେମ୍ବର 28 ତାରିଖରେ ନିକଟସ୍ଥ ଗାଁ ଲେପଟାଗୁଡ଼ାରେ ଏହି ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିଲେ ।