ସର୍ବସ୍ପର୍ଶୀ ବଜେଟ୍, ଆଗାମୀ ୨୫ ବର୍ଷକୁ ନଜରରେ ରଖି ଏହାକୁ କଳ୍ପନା କରାଯାଇଛି: ଧର୍ମେନ୍ଦ୍ର ପ୍ରଧାନ
1/02/2023 at 6:13 PM

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟକୁ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବଜେଟକୁ ସର୍ବସ୍ପର୍ଶୀ ବୋଲି କହିଛନ୍ତି । ସମାଜର ସବୁ ବର୍ଗରୁ ଧ୍ୟାନରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ମହିଳାମାନଙ୍କ ପାଇଁ ବଜେଟରେ ବିଶେଷ ଧ୍ୟାନ ଦିଆଯାଇଛି । ମହିଳାମାନଙ୍କୁ ପାରମ୍ପାରିକ ଅର୍ଥନୀତି ଦୁନିଆରୁ ବାହାରକୁ ଆଣି ଆଧୁନିକ ବ୍ୟବସାୟ ସହ ଯୋଡିବା ପାଇଁ ଏହି ବଜେଟ୍ ଧ୍ୟାନ ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି,’ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ନଜରରେ ରଖି ଆମ ୱାର୍କ ଫୋର୍ସକୁ ରି-ସ୍କିଲ ଏବଂ ଅପ-ସ୍କିଲ କରିବା ପାଇଁ ଏହି ବଜେଟ୍ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୨୫ ବର୍ଷକୁ ନଜର ରଖି ବଜେଟକୁ କଳ୍ପନା କରାଯାଇଛି’।
କେନ୍ଦ୍ରମନ୍ତ୍ରୀ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶରେ ଦୁଇଟି ଅର୍ଥନୀତି ଦିଗରେ ଏହି ବଜେଟକୁ ସଜାଯାଇଛି । ଆୟକର ସ୍ଲାବରେ ପରିବର୍ତ୍ତନ ଦ୍ୱାରା ମଧ୍ୟବିତ୍ତ ପରିବାର ଲାଭ ପାଇବେ । ଟ୍ୟାକ୍ସ ଛାଡ ଯୋଗୁଁ ଏମଏସଏମଇ ଲାଭବାନ ହେବ । ଅନ୍ୟପଟେ ଭାରତ ସରକାର ପ୍ରଥମ ଥର ପାଇଁ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି । ସାଢେ ଆଠ ବର୍ଷରେ ଭାରତ ସରକାରଙ୍କ ଏହି ପୁଞ୍ଜି ନିବେଶ ସାଢେ ତିନି ଲକ୍ଷ କୋଟି ଟଙ୍କାରୁ ବଢି ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । କେନ୍ଦ୍ରମନ୍ତ୍ରୀ ଏହାକୁ ବିକଶିତ ଭାରତର ମୂଳଦୁଆକୁ ମଜଭୁତ କରୁଥିବା ବଜେଟ୍ ବୋଲି କହିଛନ୍ତି । ଶିକ୍ଷା ବିଭାଗକୁ ସର୍ବକାଳୀନ ଅଧିକ ବଜେଟ୍ ଆବଣ୍ଟିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।