ଶିକ୍ଷାକୁ ବ୍ୟବସାୟୀକରଣ କରାଯାଇ ପାରିବ ନାହିଁ, ଟ୍ୟୁସନ୍ ଫି ଶସ୍ତା ହେବା ଉଚିତ୍; ସୁପ୍ରିମକୋର୍ଟ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ଶିକ୍ଷା ଲାଭ ବା ଶିକ୍ଷା ଦାନ ଏକ ବ୍ୟବସାୟ ନୁହେଁ।ତେଣୁ ଟ୍ୟୁସନ ଫି ସର୍ବଦା ଶସ୍ତା  ହେବା ଉଚିତ୍।ଏକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀରେ ଏହା କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଆନ୍ଧ୍ର ପ୍ରଦେଶ ସରକାର ପ୍ରତି ବର୍ଷ ୨୪ ଲକ୍ଷ ଟଙ୍କା ଟ୍ୟୁସନ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ , ଯାହା ନିର୍ଦ୍ଧାରିତ ଫିଠୁ ସାତ ଗୁଣ ଅଧିକ ଥିଲା। ପରେ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଥିଲେ। ଏବେ ବିଚାରପତି ଏମଆର ଶାହ ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ସୋମବାର ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ବଳବତ୍ତର ରଖିଛନ୍ତି।

ଆନ୍ଧ୍ର ପ୍ରଦେଶ ସରକାର ୨୦୧୭ ସେପ୍ଟେମ୍ବର ୬ରେ ନିଜର ସରକାରୀ ଆଦେଶରେ ଏମବିବିଏସ ଛାତ୍ରଙ୍କ ଟ୍ୟୁସନ ଫି ବୃଦ୍ଧି କରିଥିଲେ। ଆଜି ମାମଲାରେ ଶୁଣାଣି ସମୟରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିବା ସଠିକ୍ ନିଷ୍ପତ୍ତି। ପୂର୍ବରୁ ସ୍ଥିରିକୃତ ଫିଠୁ ସାତ ଗୁଣା ଅଧିକ ଅର୍ଥାତ ୨୪ ଲକ୍ଷ ଟଙ୍କା ଟ୍ୟୁସନ ଫି ବୃଦ୍ଧି କରାଯିବା କଦାପି ଗ୍ରହଣୀୟ ନୁହେଁ। ଶିକ୍ଷାକୁ ବ୍ୟବସାୟ କରାଯାଇ ପାରିବ ନାହିଁ।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଟ୍ୟୁସନ ଫିର ନିର୍ଦ୍ଧାରଣ ଏବଂ ସମୀକ୍ଷା କରିବା ସମୟରେ ବିଭିନ୍ନ ଦିଗ ଉପରେ ବିଚାର କରାଯିବା ଉଚିତ୍। ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ ୨୦୧୭ ସେପ୍ଟେମ୍ବର ୬ରେ ସରକାରୀ ଆଦେଶକୁ ପ୍ରତ୍ୟାହାର କରାଯିବା କୌଣସି ଭୁଲ୍ ନୁହେଁ ବୋଲି କହିଥିଲେ। ତେଣୁ ଉଚ୍ଚ ନ୍ୟାୟାଳୟ ଆନ୍ଧ୍ର ପ୍ରଦେଶ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ଉଚିତ୍ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.