<strong>ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ୍‌ଙ୍କ </strong><strong>ପର୍ସନାଲ ଆସିଷ୍ଟାଣ୍ଟଙ୍କୁ ଇଡିର ସମନ </strong><strong></strong>

Published By : Prameya-News7 Bureau | February 23, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସହାୟକ(ପର୍ସନାଲ ଆସିଷ୍ଟାଣ୍ଟ) ବୈଭବ କୁମାରଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାପେର ବୈଭବ ଇଡି କାର୍ଯ୍ୟାଳୟରେ ହାଜର ହେବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି। ଆର୍ଥିକ ହେର୍‌ଫେର୍‌ ପ୍ରତିରୋଧକ ଆକ୍ଟ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ଇଡିର ଜଣେ ଅଫିସର ସୂଚନା ସୂଚନା ଦେଇଛନ୍ତି।

ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ କେଜରିୱାଲ୍‌ଙ୍କ ନାଁ ରହିଥିଲା। ଚାର୍ଜଶିଟ୍ ଅନୁସାରେ, ମଦ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁ ଏନେଇ କେଜରିୱାଲ୍‌ଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଥିଲେ। ଏହାପରେ କେଜରିୱାଲ ଆପ୍‌ର କମ୍ୟୁନିକେସନ ଦାୟିତ୍ୱରେ ଥିବା ବିଜୟ ନାୟରଙ୍କ ଉପରେ ଭରସା ରଖିବାକୁ ସମୀରଙ୍କୁ କହିଥିଲେ ବୋଲି ଇଡି ଅଭିଯୋଗ କରିଛି।

ନାୟର ଏହି ମାମଲାର ଅନ୍ୟତମ ଅଭିଯୁକ୍ତ। ନାୟର ଓ ସମୀର ମହେନ୍ଦ୍ରୁ ଦୁହେଁ ମିଶି ଦିଲ୍ଲୀ ମଦ ପିଲିସକୁ ନେଇ ଅନ୍ୟମାନଙ୍କ ସହ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଇଡି କହିଛି।

ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବୈଭବ କୁମାରଙ୍କ ସମେତ ୩୬ ଜଣ ଅଭିଯୁକ୍ତ ଦୁର୍ନୀତିରେ ବ୍ୟବହାର କରିଥିବା ୧୭୦ ଫୋନ୍‌କୁ ନଷ୍ଟ କରିବା ସମ୍ପର୍କରେ ବୈଭବଙ୍କୁ ପଚରାଯାଇଥିଲା। ସୂଚନା ଥାଉକି ଇଡି ଏହି ମାମଲାରେ ଦୁଇଟି ଚାର୍ଜଶିଟ୍ ଦାଖଲ କରିଥିବା ବେଳେ ମୋଟ ୯ ଜଣଙ୍କୁ ଗିରଫ କରିଛି।  

କହି ରଖୁଛୁ ଯେ ଏହା ପୂର୍ବରୁ ମଦ ଦୁର୍ନୀତିରେ ଆୟ କରାଯାଇଥିବା ଟଙ୍କାକୁ ଆପ୍ ୨୦୨୨ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଥିଲା ବୋଲି ଇଡି ଅଭିଯୋଗ କରିଥିଲା। ମଦ ପଲିସିରେ ଦୁର୍ନୀତି ନେଇ ଅଭିଯୋଗ ହେବା ପରେ ଗତବର୍ଷ ଅଗଷ୍ଟ ମାସରେ ଏହି ପଲିସିକୁ ପ୍ରତ୍ୟାହାର କରାଯାଇଥିଲା। ଏହାପରେ ଦିଲ୍ଲୀ ଉପରାଜ୍ୟପାଳ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ଏନେଇ ମାମଲା କରିବା ପରି ଇଡି ବି ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ୍ ହୋଇଥିଲା। ଦୁଇ କେନ୍ଦ୍ରୀୟ ସଂସ୍ଥା ବର୍ତ୍ତମାନ ମଦ ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.