ପଦ୍ମପୁର ଉପନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | December 01, 2022 IST

ପଦ୍ମପୁର/ବରଗଡ଼, ୦୧/୧୦: ପଦ୍ମପୁର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ରାତିରେ କ୍ୟାବିନେଟ୍ ବସାଇ ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲା ମାନ୍ୟତାର ମଞ୍ଜୁର ଦେବା ସହ ଆସନ୍ତାକାଲି ଏହାର ବିଜ୍ଞପ୍ତି ଚିଠା ପଦ୍ମପୁରରେ ଦେଖାଇବେ କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଚାର ସମୟରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍କୁଲ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି । ସ୍ଥାୟୀ ନିଯୁକ୍ତି ନାହିଁ । ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି । ନବୀନ ସରକାରଙ୍କ ନୀତି ଓ ନିୟମକୁ ନେଇ ଅସନ୍ତୋଷ ଦେଖାଗଲାଣି । ସ୍କୁଲରେ ପଢୁଥିବା ପିଲା ମାନଙ୍କର ଭବିଷ୍ୟତକୁ ହତାଦର କରାଯାଉଛି । ଓଡ଼ିଶାକୁ ଅନ୍ଧକାରରେ ରଖିବାରେ ଷଡଯନ୍ତ୍ର ରଚାଯାଉଛି । ତା’ର ପ୍ରତିଫଳନ ପଦ୍ମପୁର ଉପନିର୍ବାଚନରେ ହେବ ।

ଧାନ, ଜଳସେଚନ, ରୋଜଗାର, ଇନପୁଟ ସବସିଡି ନମିଳିବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନଦେବାର ଲମ୍ବା ତାଲିକା ଅଛି । ଏହି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଦୀର୍ଘ ୨୨ ବର୍ଷ ଶାସନରେ ଯେଉଁମାନେ କାମ ଖଣ୍ଡେ ଯୋଗାଡ କରିପାରିଲେ ନାହିଁ, ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ପାଣି ମୁନ୍ଦେ ପହଞ୍ଚାଇପାରିଲେ ନାହିଁ, ସେମାନେ ଆଜି ମିଛ ସୁଆଙ୍ଗ ରଚୁଛନ୍ତି । ସବୁଠି ଅବ୍ୟବସ୍ଥା ଦେଖାଯାଇଛି । ୨୨ ବର୍ଷରେ ଯେଉଁମାନେ ଏହି ଅଞ୍ଚଳକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପଦ୍ମପୁରବାସୀ ଜବାବ୍ ଦେବେ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ପଦ୍ମପୁରବାସୀ ୨୨ ବର୍ଷର ପ୍ରତାରଣାର ନିର୍ଣ୍ଣାୟକ ମତ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଝାରବନ୍ଧରେ ଅନୁଷ୍ଠିତ ବିଶାଳ ମାତୃ ସମାବେଶ ପଦ୍ମପୁର ଉପନିର୍ବାଚନରେ କୁନା ପୁରୋହିତଙ୍କ ବିଜୟର ବଡ ପ୍ରମାଣ ଦେଉଛି । ଓଡ଼ିଶା ବିଧାନସଭାରେ ଗରିବ, ଜନଜାତି, କେନ୍ଦୁପତ୍ର ତୋଳାଳୀ, ଚାଷୀ, ବଂଚିତ ଲୋକମାନଙ୍କ ସ୍ୱାର୍ଥକୁ ଉଠାଇଛନ୍ତି । ଚାଷୀ, ଆଦିବାସୀ, ମହିଳା, ଯୁବକ ଓ ସବୁ ବର୍ଗର ଲୋକମାନେ ତାଙ୍କ ଉପରେ ଭରସା ରଖିଛନ୍ତି । ପଦ୍ମପୁରର ମା’ ମାଉସୀ ତଥା ମାତୃଶକ୍ତି ମାନଙ୍କର ଆଶୀର୍ବାଦ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦଳର ପ୍ରାର୍ଥୀ କୁନା ପୁରୋହିତଙ୍କ ପ୍ରତି ରହିଛି । ତାଙ୍କୁ ଭୋଟ ଦେବା ପାଇଁ ପଦ୍ମପୁର ମନବଳାଇ ସାରିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.