ଏୟାର ଇଣ୍ଡିଆର ସମସ୍ତ ବୋଇଂ ୭୮୭ର ହେବ ଯାଞ୍ଚ, ଅହମ୍ମଦାବାଦ ଦୁର୍ଘଟଣା ପରେ କଠୋର ହେଲା DGCA

Published By : Prameya-News7 Bureau | June 13, 2025 IST

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଡିଜିସିଏ ଏକ ବଡ଼ ନିଷ୍ପତ୍ତି ନେଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆର ବୋଇଂ ୭୮୭-୮/୯ ୟୁନିଟର ତଦନ୍ତ ପାଇଁ ଆଦେଶ ଦେଇଛି । ଡିଜିସିଏ ନିର୍ଦ୍ଦେଶ ଅନୁସାରେ ଫ୍ୟୁଏଲ୍ ପାରାମିଟର ସିଷ୍ଟମର ତଦନ୍ତ କରାଯିବ । ବିମାନର ସୁରକ୍ଷାର ସମସ୍ତ ମାନଦଣ୍ଡ ଯାଞ୍ଚ କରାଯିବ । ଏହା ଜୁନ୍ ୧୫ରୁ ଲାଗୁ ହେବ । ଏଥିରେ ଟେକ୍‌ଅଫ୍‌ ମାନଦଣ୍ଡ ମଧ୍ୟ ଯାଞ୍ଚ କରାଯିବ ।

ଡିଜିସିଏ ନିଜ ନିର୍ଦ୍ଦେଶରେ କହିଛି, ଜୁନ ୧୨ରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଏଲ୍-୧୭୧ ଦୁର୍ଘଟଣାର ଶିକାର ହୋଇଛି । ଭବିଷ୍ୟତରେ ଏପରି ଅଘଟଣ ଯେପରି ନଘଟିବ, ସେଥିପାଇଁ ଡିଜିସିଏ ଏୟାର ଇଣ୍ଡିଆକୁ ସମ୍ୱନ୍ଧିତ ଅଞ୍ଚଳିକ ଡିଜିସିଏ କାର୍ଯ୍ୟାଳୟ ସହ ସମନ୍ୱୟରେ ତୁରନ୍ତ ଜେନଏକ୍ସ ଇଞ୍ଜିନ ଥିବା B୭୮୭-୮/୯ ବିମାନର ଅଧିକ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଉଛି ।

ଉଡାଣ ପୂର୍ବରୁ ଅନେକ ବୈଷୟିକ ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ଏଥିରେ ଫ୍ୟୁଏଲ ପାରାମିଟର ମନିଟରିଙ୍ଗ, କ୍ୟାବିନ ଏୟାର କମ୍ପ୍ରେସର ସିଷ୍ଟମ, ଇଲେକ୍ଟ୍ରୋନିକ୍ ଇଞ୍ଜିନ କଣ୍ଟ୍ରୋଲ ଟେଷ୍ଟ, ଇଞ୍ଜିନ ଫ୍ୟୁଏଲ ଏକ୍ଟୁଏଟର ଅପରେସନ, ଅଏଲ୍ ସିଷ୍ଟମ ଓ ହାଇଡ୍ରୋଲିକ୍ ସିଷ୍ଟମର ଯାଞ୍ଚ ସାମିଲ । ଏହା ସହ ଟେକ୍‌ଅଫ୍ ପୂର୍ବରୁ ନିର୍ଦ୍ଧାରିତ ମାନଦଣ୍ଡର ସମୀକ୍ଷା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଟେକଅଫର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ । ଏହି ଦୁର୍ଘଟଣାରେ 241 ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଯାତ୍ରୀ ଚମତ୍କାର ଭାବରେ ବଞ୍ଚିଯାଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି ।

ତଦନ୍ତ ଦାୟିତ୍ୱ AAIBକୁ ଦିଆଗଲା

ଦୁର୍ଘଟଣା ପରେ ଜାତୀୟ ତଦନ୍ତ ସଂସ୍ଥା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ଶୁକ୍ରବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅଧିକାରୀମାନେ ଏପର୍ଯ୍ୟନ୍ତ ତଦନ୍ତ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ତଦନ୍ତର ଦାୟିତ୍ୱ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.