ଭଦ୍ରକ: ଭଦ୍ରକ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି। ଯାହାକୁ ନେଇ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। ଅବଶ୍ୟ ଏହି ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଘନ ଘନ ବୈଠକ କରୁଛି। ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ସ୍ଥିତି ଅଧିକ ଖରାପ ଥିବାରୁ, ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରୁଛି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ । ତା’ ସହ ଜିଲ୍ଲା ତମାମ ଏବେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ସ୍ୱାସ୍ଥ୍ୟଗତ ସାମାନ୍ୟ ସମସ୍ୟା ଦେଖାଗଲେ ତାର ଉପଶମ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।
ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ଥିତି ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି।
ଏହି ସମୟରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଜିଲ୍ଲାରେ ସ୍ଥିତିକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଚିକିତ୍ସା ଦାୟିତ୍ଵରେ ଥିବା ଡାକ୍ତର ଓ ଷ୍ଟାଫଙ୍କ ସହ ଆଲୋଚନା କରାଯାଇଛି। ଏହା ସହ ଜନସାଧାରଣଙ୍କୁ ସଚେତନ ରହିବାକୁ ମଧ୍ୟ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ଜିଲ୍ଲାର ଆଗରପଡ଼ା, ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଆଦି ଅଞ୍ଚଳରେ ସମୁଦାୟ ୫୦ ଆକ୍ରାନ୍ତଙ୍କ ମଧ୍ୟ ୨୬ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଯାଇଛି । ଏବେ ସେମାନଙ୍କ ଅବସ୍ଥା ଭଲ ଅଛି । ୮ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲାରେ ଡାଇରିଆ ନିବାରଣ ସଚେତନତା ରଥର ଶୁଭାରମ୍ଭ ହୋଇଛି । ୭ ଦିନ ଧରି ଏହି ରଥ ୭ ବ୍ଲକ ବୁଲିବ । ଲୋକଙ୍କୁ ସଚେତନ କରିବ । ସାମୂହିକ ଭୋଜିରୁ ଦୂରେଇ ରହିବାକୁ କୁହାଯାଇଛି । ଗରମ ଖାଦ୍ୟ ଖାଇବା ସହ ବିଶୋଧନ ଜଳ ପିଇବାକୁ ପରାମର୍ଶ ଦିଆଯାଇଛି । ଆଜି ସ୍ୱତନ୍ତ୍ର ମେଡିକାଲ ଟିମ ଭଣ୍ଡାରିପୋଖରିର ଷୋଳମପୁର ଓ ଧାମନଗର ଆକ୍ରାନ୍ତ ଅଞ୍ଚଳ ଗସ୍ତ କରିଛନ୍ତି । ମେଡିକାଲ ଟିମ ସଜାଗ ରହିଥିବାବେଳେ ଭଦ୍ରକ ମେଡିକାଲରେ ଅତିରିକ୍ତ ଡାଇରିଆ ୱାର୍ଡ଼ ପ୍ରସ୍ତୁତ କରାଯାଇ ରଖାଯାଇଛି ବୋଲି ଡାକ୍ତର ନାୟକ ସୂଚନା ଦେଇଛନ୍ତି ଭଦ୍ରକ ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକ।