ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନ ଖାରଜ; କୋର୍ଟ କହିଲେ ଦେଶ ହିତରେ ହୋଇଛି ଯୋଜନା

Published By : Prameya-News7 Bureau | February 27, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ  ଦେଶ ହିତରେ ନିଆଯାଇଥିବା ନିଷ୍ପତ୍ତି ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ। ଏଥିସହିତ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କଲେ କୋର୍ଟ।

ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ସୁବ୍ରମଣ୍ୟମ ପ୍ରସାଦଙ୍କ ଦୁଇ ଜଣିଆ ଖଣ୍ଡପୀଠ। ମାମଲାରେ ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି “ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସେନାକୁ ସଶସ୍ତ୍ର କରିବାକୁ ପାଇଁ ଅଗ୍ନିପଥ ଯୋଜନା କରାଯାଇଛି।” ଏହି ଯୋଜନାରେ ହସ୍ତକ୍ଷେପ କରିବା ଭଳି କୌଣସି କାରଣ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହିତ ଯୋଜନାକୁ ବିରୋଧ କରି କୋର୍ଟରେ ହୋଥିବା ୨୩ଟି ମାମଲାକୁ ଖାରଜ କରିଦେଇଛନ୍ତି।

ଖବର ଅନୁସାରେ କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟର ହାଇକୋର୍ଟ ଗୁଡିକରେ ୨୩ଟି ମାମଲା ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ସମସ୍ତ ମାମଲା ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ। ଏହା ପୂର୍ବରୁ ଗତବର୍ଷ ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ବିକ୍ଷୋଭ ପଛର କାରଣ ଖୋଜିବାକୁ ତଦନ୍ତ କରିବା ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ସୂଚନା ଥାଉକି କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ଘୋଷଣା ପରେ ଦେଶର ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନାର କମ ସମୟ ଅବିଧକୁ ବିରୋଧ କରି ଏହି ବିରୋଧ ହୋଇଥଲା। ଏହି ଯୋଜନା ମାଧ୍ୟମରେ ଯୁବକଙ୍କୁ ଅସ୍ଥାୟୀ ଭାବରେ ସେନାରେ ଭର୍ତ୍ତି କରାଯିବ। ସେମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ। ଅବସର ପରେ ସେମାନଙ୍କ ଆବଶ୍ୟକୀୟ ଅର୍ଥରାଶି ଓ ଅନ୍ୟ ଚାକିରିରେ ଅଗ୍ନିବୀରଙ୍କୁ ଅଧିକ ଧ୍ୟାନ ଦିଆଯିବ ବୋଲି ସରକାର କହିଥିଲେ।

୪ ବର୍ଷର ଅବଧି ସରିବା ପରେ ଚୟନ ହୋଇଥିବା ଅଗ୍ନିବୀରଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ସେନାରେ ଯୋଗ ଦେବେ। ଅନ୍ୟମାନେ ଅବସର ନେବେ। ତେବେ ବୟସ ବ୍ୟବଧାନକୁ ନେଇ ବିରୋଧ ହେବା ପରେ ସରକାର ୨୦୨୨ ପାଇଁ ବୟସକୁ ୨୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।

ତେବେ ବି ବିଭିନ୍ନ ରାଜ୍ୟରେ ଅଗ୍ନିପଥ ଯୋଜନାକୁ ବିରୋଧରେ ଥାନାରେ ମମଲା ହୋଇଥିଲା। ସୁପ୍ରିମକୋର୍ଟ ଏହାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିଥିଲେ। ଏହାପରେ ଗତବର୍ଷ ଡିସେମ୍ବର ୧୫ ତାରିଖରେ ଏହି ମାମଲାର ଶୁଣାଣି କରି ନିଜ ନିଷପ୍ତି ସଂଗରକ୍ଷିତ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.